ସମୟ କାହାକୁ ଅପେକ୍ଷା କରେ ନାହିଁ। ନା ଭବିଷ୍ୟତକୁ ସେ ଛୁଇଁ ପାରେ ନା ଅତୀତକୁ। ଗୋଟିଏ କ୍ଷଣ ପରେ ସେ ବଦଳି ଯାଏ। ସେ ସମୟ ସ୍ରୋତରେ କେତେ ବେଳେ ଯେ ଆମେ ଶୈଶବରୁ ବାର୍ଦ୍ଧକ୍ୟରେ ପହଞ୍ଚି ଯାଉ ଜାଣି ହୁଏନାହିଁ। ଏହାହିଁ ତ ସଂସାରର ନୀତି। ଯୌବନରେ ନିଜ ସାମର୍ଥ୍ୟ ବଳରେ ଯାହା କରି ହୁଏ, ବାର୍ଦ୍ଧକ୍ୟରେ ଗୋଡ଼ ହାତ ଶିଥିଳ ହୁଏ କାମ କରିବାର ସ୍ପୃହା କମିଯାଏ। ଏହି ଯେମିତି ହଡ଼ା ବଳଦ, ତା'ର ଯେତେ ବେଳେ କାମ କରିବାର ଶକ୍ତି ଥାଏ ଖାଉନ୍ଦଠାରୁ ସେ ବହୁତ ଆଦର ଯତ୍ନ ପାଏ। ଦେହର ଶକ୍ତି କମିଗଲେ ସେ ହୋଇଯାଏ 'ହଡ଼ା ବଳଦ'।
ପିଲାବେଳେ ଆମେ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିଲୁ ଓ ସାର୍ ଆମକୁ 'ହଡ଼ା ବଳଦର ଆତ୍ମ କାହାଣୀ' ରଚନା ଖାତାରେ ଲେଖିବାକୁ କୁହନ୍ତି। ସେତେବେଳେ ହଡ଼ା ବଳଦର ଆତ୍ମ କାହାଣୀ, ଗାଈର ଆତ୍ମ କାହାଣୀ, କୃଷକର ଆତ୍ମ କାହାଣୀ ବା ନଡ଼ିଆ ଗଛର ଆତ୍ମ କାହାଣୀ ଏମିତି ଅନେକ ଆତ୍ମ କାହାଣୀ ଲେଖିବାକୁ ହେଉଥିଲା। ନିଜକୁ ସେହି ଚରିତ୍ରରେ ରଖି ଆତ୍ମ କାହାଣୀ ଲେଖିବାକୁ ହୁଏ। ଲାଇଅନ ମାର୍କା ଗାରପକା ଚଟି ଖାତାରେ ଗୋଲ ଗୋଲ ଅକ୍ଷରରେ ଲେଖିବାକୁ ପଡ଼େ। ସେତେବେଳେ ସେ ଖାତାର ଦାମ୍ ପ୍ରାୟ ତିନି ଟଙ୍କା କି ଚାରି ଟଙ୍କା ଥିଲା। କେତେକ ଅଭିଭାବକ ସେହି ଦାମରେ ଖାତାଟିଏ କିଣିବାକୁ ମଧ୍ୟ ଅସମର୍ଥ ଥିଲେ ଆମ ଗାଁରେ। ଏବେ ତ ସମୟ ବଦଳିଲାଣି, ଗାଁ ସ୍କୁଲ ଛାଡ଼ି ପିଲାମାନେ କନଭେଟ୍ ସ୍କୁଲରେ ପଢ଼ିଲେ। କାହାର ଆତ୍ମ କାହାଣୀ ଲେଖିବା ତ ଦୂରର କଥା, ଖଡ଼ି ଛୁଆଁ କି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଲେଖି ମାଡ଼ାଉଥିବେ କି ନାହିଁ ସନ୍ଦେହ।
ହଁ ହଡ଼ା ବଳଦ କଥା କାହିଁକି ଆଲୋଚନା କରୁଛି। କାରଣ ହଡ଼ା ବଳଦ କଥା ମନେ ପଡ଼ିଲେ ମୋର ଜେଜଙ୍କ କଥା ମନେ ପଡ଼ିଯାଏ।
ଆମର ସେତେବେଳେ ଦୁଇ ହଳ ବଳଦରେ ଚାଷ ହେଉଥିଲା। ତା ସହିତ ତିନି ଚାରୋଟି ଗାଈ ମଧ୍ୟ ଗୁହାଳରେ ରହୁଥିଲେ। ଏମିତି ଆମର ଗୋଟିଏ ବଳଦ ବୁଢ଼ା ହୋଇ ଯିବାରୁ ହଡ଼ା ହୋଇଗଲା। ଆଉ ତାକୁ କିଛି କାମ ଦାମରେ ଲଗାଗଲା ନାହିଁ। ସେମିତି ଗୁହାଳରେ ବନ୍ଧା ହୋଇଥାଏ। ଜଣେ ପଡ଼ୋଶୀ କୁହା ବୋଲା କରି ବଳଦଟିକୁ ଗୁଆ ବଦଳରେ ନେଇଗଲା। କିନ୍ତୁ କିଛି ଦିନ ପରେ ସେ ଲୋକଟି ତାକୁ ଛାଡ଼ି ଦେଲା। ସେ ସେଠାରୁ ଚାଲି ଆସି ଆମ ଘର ଚାରି ପଟେ ବୁଲାବୁଲି କରେ, ଆମ ଘର ଲୋକବି ଘଉଡ଼ାନ୍ତି ନାହିଁ। ବାହାରେ ଚରା ବୁଲା କରୁଥିଲେ ମଧ୍ୟ ଆମ ଗୋରୁ କୁଣ୍ଡରେ ସୁଯୋଗ ଦେଖି ଖାଏ, ବେଳେବେଳେ ଗୋରୁ ଅରାରୁ ପେଜ-ତୋରାଣୀବି ପିଇ ଦିଅ। ହେଲେ ତାକୁ ବାନ୍ଧିବାକୁ ଆଉ ସାହାସ ହେଉ ନଥିଲା।
ସେଦିନ ରାତିରେ ଆମ ଘରପାଖ ବୁଢ଼ା ପୁଅ ବାଡ଼ରେ ମାଡ଼ିଥିବା ବୋଇତାଳୁ ଡଙ୍କକୁ ସେ ଖାଇଦେଲା ଓ ଛିଣ୍ଡେଇ ପକାଇଲା। ବୁଢ଼ା ପୁଅ ଭାରି ମୁଖରା ଲୋକ, ବହୁତ ଶୋଧା ଶୋଧି କଲା। ଆତ୍ମ ସମ୍ମାନକୁ ଜଗି ଜେଜ ତାକୁ ଗୋଟେ ଲଙ୍ଗଳ ଦଉଡ଼ି ସାହାଯ୍ୟରେ ଗୁହାଳରେ ବାନ୍ଧି ଦେଲେ। କାରଣ ତା ପାଇଁ ପଘା ନଥିଲା। କିନ୍ତୁ ପରଦିନ ସକାଳ ଥିଲା ଏକ ଭୟଙ୍କର ସକାଳ। ବଳଦଟି ଦଉଡ଼ି ଛିଣ୍ଡେଇ ଗୁହାଳରୁ ଯାଇ, ଭାଗବତ ଟୁଙ୍ଗୀ ପାଖରେ ରାସ୍ତା କଡ଼ରେ ମୃତ ଅବସ୍ଥାରେ ପଡ଼ିଥିଲା। ବୋଧହୁଏ ବୁଲିବା ଅଭ୍ୟାସ ହେତୁ ଗୁହାଳରେ ତାକୁ ଭଲ ଲାଗି ନଥିଲା। ତେଣୁ ଦଉଡ଼ି ଛିଣ୍ଡେଇ ଗୁହାଳରୁ ପଳାଇ ଆସି ଥିଲା। ତା ଗୋଡ଼ ଖୁରାରେ ଦଉଡ଼ି ପସି ଯାଇଥିଲା ଏବଂ ବେକରେ ଫାଶଟି ଚାପି ହୋଇ ତାର ମୃତ୍ୟୁ ହୋଇଥିଲା।
ଜେଜ ଯେହେତୁ ତାକୁ ବାନ୍ଧି ଥିଲେ, ଜେଜଙ୍କ ଉପରେ ଗୋ ବାଧା ଦୋଷ ଲାଗିଲା। ପଣ୍ଡିତ ମାନେ ବିଚାର କରି କେମିତି ପ୍ରାୟଶ୍ଚିତ କରିବାକୁ ହେବ ନିର୍ଣ୍ଣୟ କଲେ। ଯେମିତି ଘର ପରିବାରର କେହି ବୟସ୍କ ଲୋକ ମୃତ ହେଲେ ଶୁଦ୍ଧି କ୍ରିୟା କରାଯାଏ, ସେହିପରି ଶୁଦ୍ଧି କ୍ରିୟା ଜେଜ ଏବଂ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଭୋଗିବାକୁ ହେଲା।
ଦାଣ୍ଡ ପିଣ୍ଢାରେ ଜେଜ ସେ ଦଉଡ଼ିକୁ ବେକରେ ପକାଇ ଶୋଇଲେ। ତାଙ୍କୁ କେହି ଛୁଆଁ ଛୁଇଁ କଲେ ନାହିଁ। ସେ ଦଉଡ଼ିକୁ ଧରି ଓ ପାଟିରେ କୁଟା ଖଣ୍ଡେ ଦେଇ କେତେ ଘର ବୁଲି ଭିକ୍ଷା ମାଗିଲେ। ଶେଷରେ ଚାଲି ଚାଲି ବୈତରଣୀ ଓ ବିରଜା କ୍ଷେତ୍ର ହୋଇ ଘରକୁ ଫେରିଲେ। ଦଶଦିନ ଶୁଦ୍ଧି କ୍ରିୟା ହେଲା। ଆମେ ସମସ୍ତେ ପୁଅମାନେ ଲଣ୍ଡା ହେଲୁ। ବ୍ରାହ୍ମଣ ଭୋଜନ ଦିଆଗଲା। ସାହି ଭାଇଙ୍କୁ ମଧ୍ୟ ଭୋଜି ଦିଆଗଲା। ଶେଷରେ ପୁରୀ ଯାଇ, ଜଗନ୍ନାଥ ଦର୍ଶନ କରି ମୁକ୍ତି ମଣ୍ଡପରେ କ୍ଷମା ମାଗି ଜେଜ ଫେରିଲେ ଘରକୁ। ଏହି ଭଳି ଭାବରେ ପ୍ରାୟଶ୍ଚିତ କାର୍ଯ୍ୟ ସମାପନ ହେଲା। କିନ୍ତୁ ମୋ ସ୍ମୃତିରେ ରହିଯାଇଛି ସେ ହଡ଼ା ବଳଦର ଆତ୍ମ କାହାଣୀ।
Read it in ଶୁଭଦୃଷ୍ଟି: bit.ly/shubhdristi2 (Page: 32)
ମାତୃଭୂମି: ଆସ ଫେରିଯିବା ଇ-ପତ୍ରିକା, April 2020 (Page:27)
Read it in ଶୁଭଦୃଷ୍ଟି: bit.ly/shubhdristi2 (Page: 32)
ମାତୃଭୂମି: ଆସ ଫେରିଯିବା ଇ-ପତ୍ରିକା, April 2020 (Page:27)
0 Comments