ଚୈତ୍ର ପୂର୍ଣ୍ଣିମା

ଚୈତ୍ର ପୂର୍ଣ୍ଣିମା ହେଉଛି କୈବର୍ତ୍ତ ବା କେଉଟ ମାନଙ୍କର ଇଷ୍ଟଦେବୀଙ୍କ ପର୍ବ। ଏହି ପର୍ବକୁ ସାଧାରଣତଃ ଚଇତି ପୁନେଇ ଭାବରେ ଗାଁ ଗଣ୍ଡାରେ ଜଣାଶୁଣା। ମା ମଙ୍ଗଳାଙ୍କୁ ଉତ୍ସର୍ଗୀକୃତ ମାସର ସ୍ୱତନ୍ତ୍ର ପୂଜା ଏହି ଚୈତ୍ର ପୂର୍ଣ୍ଣିମାଠାରୁ ଆରମ୍ଭ ହୁଏ ଏବଂ ଏହି ନିର୍ଦ୍ଦିଷ୍ଟ ଦିନ କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ତାଙ୍କର ଇଷ୍ଟଦେବୀ ବାଶେଳୀ ବା ବାସୁଳେଇଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରନ୍ତିଏକ ମାସ ଧରି ଚାଲୁଥିବା 'ବୈଶାଖ ସ୍ନାନ' ଏହି ଦିନ ଠାରୁ ଆରମ୍ଭ ହୋଇଥାଏ।

 

ଏହା ବିଷୟରେ ମହାପୁରୁଷ ଅଚ୍ୟୁତାନନ୍ଦ କେଉଟମାନଙ୍କର ଉତ୍ପତ୍ତି ଓ ତାଙ୍କ ଇଷ୍ଟ ପର୍ବକୁ ପାଥେୟ କରି 'କୈବର୍ତ୍ତ ଗୀତା' ଲେଖିଛନ୍ତି କି, ସତ୍ୟଯୁଗରେ ପ୍ରଳୟ ସମୟରେ ସେତେବେଳେ ସାରା ପୃଥିବୀ ଜଳାର୍ଣ୍ଣବ ହୋଇଗଲା, କେବଳ କଳ୍ପବଟ ଛଡ଼ା ଆଉସବୁ ଜଳ ମଧ୍ୟରେ ବୁଡ଼ିଗଲା। ସେତେବେଳେ ଭଗବାନ ବିଷ୍ଣୁ କଳ୍ପବଟ ଉପରେ ଶୋଇବାକୁ ଇଚ୍ଛା କରିଲେ। ହେଲେ ସେ ଯେତେବେଳେ ଶୋଇବାକୁ ଚେଷ୍ଟା କରିଲେ, ଭୀଷଣ ପବନ ଓ ପାଣିର ଲହଡ଼ି ଯୋଗୁ କଳ୍ପବଟ ଦୋହଲିଲା; ଫଳରେ ତାଙ୍କ ନିଦରେ ବ୍ୟାଘାତ ସୃଷ୍ଟି ହେଲା। ଭଗବାନ ବଟବୃକ୍ଷ ଉପରେ ଶୟନ କରିଥିଲେ। ଭୀଷଣ ପବନ ହେଲା ଓ ବଟବୃକ୍ଷ ଦୋହଲିବାକୁ ଲାଗିଲା। ଏଣୁ ଭଗବାନ କାନମୂଳ ମଳିକୁ ସମୁଦ୍ରକୁ ନିକ୍ଷେପ କରି ଜଣେ ପୁରୁଷକୁ ସୃଷ୍ଟି କଲେ। କାନମୂଳରୁ ଓ ମଳିରୁ ଜାତ ହୋଇଥିବା ଯୋଗୁଁ ତାହାକୁ କୈବର୍ତ୍ତ ବୋଲି କୁହାଗଲା। ତା’ପରେ ସେହି ପୁରୁଷ କଣ୍ଡିଆ ଧରିବାରୁ ବଟପତ୍ର ସ୍ଥିର ହେଲା ଓ ଭଗବାନ ବିଷ୍ଣୁ ଶୋଇଲେ। ଏହି ପୁରୁଷଟିର ନାମ ଦାସରାଜା।

ଏମିତି ଏମିତିରେ କିଛି କାଳ ଅତିକ୍ରମ କରିଗଲା। ସେ ଗୋଟେ ସ୍ଥାନରେ ଛିଡ଼ା ହୋଇ ଦାସ ରାଜା କ୍ଳାନ୍ତ ଅନୁଭବ କଲେ। ତେଣୁ ସେ ସମୁଦ୍ରକୁ ପହଁରିବା ପାଇଁ ଚାଲିଗଲେ। ସମୁଦ୍ରରେ ପହଁରୁଥିବା ବେଳେ ରାଘବବାଳିଆ ନାମକ ଏକ ମାଛ ଦାସରାଜାକୁ ଗିଳିଦେଲା। ଆଉ ଦାସ ରାଜା ଫେରିଲେ ନାହିଁ। ଫଳରେ ଗଛଟି ପୁଣି ଜୋରରେ କମ୍ପିବାକୁ ଲାଗିଲା ଏବଂ ବିଷ୍ଣୁ ଉଠିଲେ; ଏବଂ ସେ ଯେବେ କୈବର୍ତ୍ତକୁ ଖୋଜିଲେ, ସେ କେଉଁଠାରେ ମିଳିଲା ନାହିଁ। ଭଗବାନ ଏହା ଜାଣିପାରି ରାଘବବାଳିଆର ପେଟ ଚିରି ଦାସ ରାଜାକୁ ଉଦ୍ଧାର କରିଥିଲେ। ଯେହେତୁ କିଛି ଦୋଷ ନଥାଇ ଏହି ମାଛ ଦାସ ରାଜାକୁ ଖାଇଥିଲା, ତେଣୁ ବିଷ୍ଣୁ କୈବର୍ତ୍ତ ମାନଙ୍କୁ ମାଛ ମାରି ନିଜକୁ ବଞ୍ଚାଇବାକୁ କହିଥିଲେ। ସେବେଠାରୁ କୈବର୍ତ୍ତମାନେ ମାଛ ଶିକାର କରି ଆସୁଛନ୍ତି ଏବଂ ୟା' ଲାଗି ସେମାନଙ୍କୁ କୌଣସି ପାପ ଲାଗେନାହିଁ ।

ଯେତେବେଳେ ସମୟାନୁକ୍ରମେ ପାଣି ଧୀରେ ଧୀରେ କମିଲା, ଭଗବାନ ବିଷ୍ଣୁ ବୈକୁଣ୍ଠକୁ ଓ କୈବର୍ତ୍ତ ସିଂହଳ ଦ୍ଵୀପ (ଶ୍ରୀଲଙ୍କା)କୁ ଫେରିଗଲେ। ଯେହେତୁ କୈବର୍ତ୍ତ ପାଖରେ ଚଳାଚଳ ପାଇଁ କୌଣସି ବାହନ ନଥିଲା ଓ ଜୀବନ ନିର୍ବାହ ପାଇଁ କିଛି ଜୀବିକା ଜାଣିନଥିଲା, ସେଥିଲାଗି ବିଷ୍ଣୁ ତାଙ୍କୁ ଗୋଟେ ଡଙ୍ଗା ଓ କଳ୍ପବଟର ଗୋଟେ ଡାଳକୁ ଘୋଡ଼ାରେ ପରିଣତ କରି ତାଙ୍କୁ ଦେଲେ। ସେଇ ଘୋଡ଼ା ଟିର ନାମ ବାସେଳୀ ଦେଲେ ଏବଂ ଜୀବିକା ନିର୍ବାହ କରିବା ପାଇଁ ଜାଲ ବୁଣିବା ଓ ମାଛ ଧରିବା ଶିଖାଇଲେ।

ଦାସରାଜା ପାଇଥିବା ଘୋଡ଼ାଟିକୁ ଧରି ବୋଇତରେ ସିଂହଳ ଯାତ୍ରା କରିଥିଲେ। ସେଠାରେ ଘୋଡ଼ା କେହି ଦେଖି ନଥିଲେ। ଏ ବିଚିତ୍ର ପଶୁକୁ ଦେଖି ଓ ଦାସରାଜା, ସ୍ବୟଂ ବିଷ୍ଣୁଙ୍କ ସୃଷ୍ଟି ଜାଣି ସିଂହଳବାସୀ ଦାସରାଜାଙ୍କୁ ବହୁତ ଶ୍ରଦ୍ଧା କଲେ ଏବଂ ପରେ ସେ ସିଂହଳରେ ରାଜତ୍ଵ କଲେ। ଦାସରାଜା – ଘୋଡ଼ାଟିକୁ ଲକ୍ଷ୍ମୀ ରୂପରେ ପୂଜା କରୁଥିଲେ। ଘୋଡ଼ା ରୂପକୁ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସେ ଧନସଂପଦ ଓ ସୌଭାଗ୍ୟପ୍ରାପ୍ତ ହୋଇଥିଲେ। ଦାସରାଜା ଅଶ୍ଵର ମୃତ୍ୟୁରେ ଭାଙ୍ଗିପଡ଼ିଲେ ଏଣୁ ଦୈବୀବାଣୀ ହେଲା –

କାଷ୍ଠରେ ନିର୍ମାଣ ଦେବୀ ସ୍ଥାପନ ହୋଇଲୁ,

ସିଂହଳ ଦ୍ୱୀପେ ମାଗୋ ବାଶେଳୀ ବୋଲାଇଲୁ ।

ଏହାକୁ ପୂଜିବ ଜନ୍ମେ ଜନ୍ମେ ଅବତରି,

ଏହାର ନାମ ଯେ ଅଟେ ଅଶ୍ୱିନୀ ବାଶେଳୀ ।

ସମୟାନୁକ୍ରମେ କିନ୍ତୁ ଘୋଡ଼ା ଟି ବୁଢ଼ୀ ହୋଇ ଆସୁଥିଲା। ଏବଂ ଘୋଡ଼ା ଟି ବୃଦ୍ଧାବସ୍ଥାରେ ଜ୍ୱରରେ ମରିଗଲା। ଯେହେତୁ ଦାସରାଜା ତାଙ୍କୁ ଦେବୀଙ୍କ ରୂପରେ ପୂଜା କରୁଥିଲେ, ତେଣୁ ତାଙ୍କ ସ୍ମୃତିରେ ସେ କାଠରେ ଘୋଡ଼ାର ମୁଖା ତିଆରି କରି ତାଙ୍କୁ ବାସେଳି ରୂପେ ପୂଜା କରିଲେ। ସେବେ ଠୁଁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା କୈବର୍ତ୍ତ ମାନଙ୍କ ସମ୍ପ୍ରଦାୟରେ ଚାଲି ଆସିଛି।

 

ଚଇତ ପୂର୍ଣ୍ଣମୀ ଦିନ କୈବର୍ତ୍ତମାନେ ନିଜ ନିଜ ଗ୍ରାମରେ ଏକତ୍ର ହୋଇ ବାଉଁଶ ବୁଦାକୁ ପୂଜା କରନ୍ତି । ଗୋଟିଏ ନିଖୁଣ ବାଉଁଶକୁ କାଟିକରି ନିଅନ୍ତି । ପାର୍ବତୀଙ୍କୁ ସ୍ମରଣ କରି ବତା ଚିରନ୍ତି । ବାରଖଣ୍ଡ ବତା ହୁଏ । ସେଥିରେ ଘୋଡ଼ାର ପଞ୍ଜରା ତିଆ ଆରି ହୁଏ । କାଠରେ ନିର୍ମିତ ଘୋଡ଼ାମୁଣ୍ଡ ଏହି ପଞ୍ଜରା ଦେହରେ ଯୋଡ଼ାଯାଏ । ଘୋଡ଼ାକୁ ପାଟ ଶାଢ଼ି ତଥା ରଙ୍ଗୀନ କପଡ଼ାରେ ସଜ୍ଜାଇ ତା’ବେକରେ ରେ ଫୁଲହାର ପକାଇ ଦିଆଯାଏ । ବାଉଁଶ ବତାରେ ନିର୍ମିତ ଏହି ଘୋଡ଼ା ଖୋଳ ମଧ୍ୟରେ ଜଣେ ଅଣ୍ଟା ପର୍ଯ୍ୟନ୍ତ ପଶି ଘୋଡ଼ାକୁ ନଚାଇଥାଏ । ସ୍ଥାନୀୟ କବିଙ୍କ ଦ୍ୱାରା ରଚିତ ଗୀତ ସହ ଢୋଲ ଓ ମହୁରୀ ତାଳରେ, ଘୋଡ଼ା ଆଗକୁ ଓ ପଛକୁ ଝୁଲି ଝୁଲି ନାଚେ। ରାଉତ ତା ହାତରେ ରାମତାଳି ବଜାଉଥାଏ । ଏହି ରାମତାଳି ପ୍ରଭୁ ରାମଚନ୍ଦ୍ର ଯୁଗରେ ବନବାସ ସମୟରେ ଦେଇଥିଲେ ବୋଲି କିମ୍ବଦନ୍ତୀ ଅଛି। ଏହି ନାଚ ବେଳେ ଦୁଇଜଣ ନୃତ୍ୟଶିଳ୍ପୀ, ଜଣେ ପୁରୁଷ ଏବଂ ଜଣେ ମହିଳା (ମହିଳା ପୋଷାକରେ ଜଣେ ପୁରୁଷ) ରହିଥାନ୍ତି ଓ ପୁରୁଷମାନଙ୍କୁ 'ରାଉତ' ଏବଂ ମହିଳାମାନଙ୍କୁ 'ରାଉତାଣୀ' କୁହାଯାଏ। ସେମାନେ ଗୀତରେ ଗୀତରେ ବିଭିନ୍ନ କିମ୍ବଦନ୍ତୀ ବର୍ଣ୍ଣନା କରନ୍ତି, ପ୍ରଶ୍ନ ପଚାରି ଉତ୍ତର ମଧ୍ୟ ଦିଅନ୍ତି।

ଚଇତ ପୂର୍ଣ୍ଣିମା ଦିନ ପ୍ରତ୍ୟେକ କୈବର୍ତ୍ତଙ୍କ ଘରେ ସଜ ବସେ । ଯେଉଁମାନେ ଜାଲଦ୍ୱାରା ମାଛ ଧରନ୍ତି ସେମାନେ ଜାଲକୁ ମଧ୍ୟ ଏହି ଦିନ ପୂଜା କରନ୍ତି । ଢୋଲ ଓ ଯୋଡି ମହୁରୀ ବାଜେ । ହୁଳହୁଳି ଧ୍ୱନିରେ ସାହି ଉଛୁଳି ପଡ଼େ । ଜାଲୁଆ ଓ ନାଉରୀ କୈବର୍ତ୍ତମାନେ ନଈକୂଳରେ ନିଜନିଜର ଡଙ୍ଗାକୁ ଧୋଇ, ସେଥିରେ ଚିତା ପକାନ୍ତି । ଡଙ୍ଗାକୁ ବନ୍ଦାପନା କରାଯାଏ ।

ଚଇତି ଘୋଡ଼ାକୁ ପୂଜା କରିବା ଦ୍ଵାରା ଧନ, ଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ, ‘କୈବର୍ତ୍ତ ଗୀତା’ରେ ଉଲ୍ଲେଖ ଅଛି-

 

ନିରାକାର ଅଙ୍ଗୁ ଏ ବାଶେଳୀ ଅଟେ ଜାଣ,

ଏହାଙ୍କୁ ପୂଜିଲେ ପାଇ ବୈକୁଣ୍ଠେ ସ୍ଥାନ।

ମାନସିକ କରି ଯେହୁ ବାଶେଳୀ ପୂଜିବ,

ଅପୁତ୍ରିକ ହୋଇଥିଲେ ପୁତ୍ର ସେ ଲଭିବ।

ଯେଉଁ କୈବର୍ତ୍ତ ମାନେ ଆର୍ଥକ ଅନଟନ କିମ୍ବା ଅନ୍ୟାନ୍ୟ କାରଣରୁ ଚଇତି ଘୋଡ଼ା ବା ବାଶେଳୀ ପୂଜା କରିପାରନ୍ତି ନାହିଁ ସେମାନଙ୍କ ପାଇଁ ପୁରାଣରେ ଅନ୍ୟ ବ୍ୟବସ୍ଥା ମଧ୍ୟ ଅଛି । ଢିଙ୍କି ଉପରେ ବାଶେଳୀ ବା ଘୋଡ଼ାମୁଣ୍ଡ ସ୍ଥାପନ କରି ପୂଜା କରିପାରିବେ। ସେଥ‌ିପାଇଁ କୁହାଯାଇଛି –

ଢିଙ୍କି ମୁଣ୍ଡେ ଅଶ୍ୱ ମୁଣ୍ଡକୁ ଥାପିବ,

ଅଶ୍ୱିନୀ ବାଶେଳୀ ପୂଜା ତହିଁ ଯେ କରିବ।

 କାରଣ ଢିଙ୍କି ମଧ୍ଯ କୈବର୍ତ୍ତମାନଙ୍କର ନିଜ କୌଳିକ ବୃତ୍ତି ଅବଲମ୍ବନ ନିମନ୍ତେ ମାଧ୍ଯମ। ସେମାନେ ଢିଙ୍କିରେ ଚୁଡ଼ା କୁଟି ପରିବାରର ଭରଣପୋଷଣ କରିଥାନ୍ତି। ଏଣୁ ସେମାନେ; ଢିଙ୍କିରେ ଲକ୍ଷ୍ମୀ, ବାଶେଳୀ ଓ ସ୍ଵୟଂ ବିଶ୍ୱକର୍ମା ବିରାଜମାନ କରିଛନ୍ତି ବୋଲି ବିଶ୍ୱାସ କରନ୍ତି।

 

 

Post a Comment

0 Comments