ବିରଜା ରଥଯାତ୍ରା

Published in Dinalipi 📎Samaya 📎 and Sambadakalika

Read it in English

    ମାନବ ସଭ୍ୟତାରେ ଯଦି କିଛି ବଡ଼ ଚିଜ ଆବିଷ୍କାର ହେଇଛି, ତେବେ ପଥର ଗଡ଼ିବା ଦେଖି ଚକର ଆବିଷ୍କାର ହେବ ବୋଲି ବିନା ଦ୍ଵିଗ୍ଧା ରେ କାହିଁ ହେବ। ଏହା କାହିଁ କେତେଯେ ସୁବିଧା ଆମକୁ ନଯୋଗାଇଛି, ତାହା କହିବା ବାହୁଲ୍ୟ। ଏବଂ ଚକ କଥା ମନକୁ ଆସିଲା ମାନେ, ରଥ କଥା ମନକୁ ଆପେ ଆପେ ଚାଲି ଆସେ। ଭାରତୀୟ ସଂସ୍କୃତିରେ ରଥ ପରମ୍ପରା ବହୁ ପୁରୁଣା। ଏତେ ପୁରୁଣା ଯେ, ଏହାର ବର୍ଣ୍ଣନା ବେଦ ଓ ପୁରାଣ ରେ ଦେଖିବାକୁ ମିଳେ

ଆ କୃଷ୍ଣେନ ରଜସା ବର୍ତ୍ତମାନୋ ନିବେଶୟନମୃତଂ ମର୍ତ୍ତ୍ୟଂଚ। 

ହିରଣ୍ୟୟେନ ସବିତା ରଥେନା ଦେବୋ ଯାତି ଭୁବନାନି ପଶ୍ୟନ।। 

~ ଋଗ୍ ବେଦ (୧.୩୫.୨)
 ଅର୍ଥାତ୍, ରାତ୍ରିର ଅନ୍ଧକାରରେ ଆଚ୍ଛନ୍ନ ଥିବା ଅନ୍ତରୀକ୍ଷକୁ ସ୍ୱଦୀପ୍ତିରେ ଉଦ୍ଭାସିତ କରି ସୂର୍ଯ୍ୟଦେବ ପ୍ରାତଃ ସମୟରେ ସୁବର୍ଣ୍ଣ ରଥରେ ଦ୍ୟୁଲୋକ ଓ ଭୂଲୋକକୁ ପରିକ୍ରମଣ କରି ଏହି ଦୁଇ ଲୋକର ଅଧିବାସୀଙ୍କୁ ଜାଗ୍ରତ ଓ ଚଳଚଞ୍ଚଳ କରାନ୍ତି ଆର୍ଯ୍ୟଋଷିଙ୍କର ଏହି ବର୍ଣ୍ଣନାରେ ରଥର ସ୍ୱରୂପ ଓ ରଥରେ ବସି ଯାତ୍ରା କରିବାର ଉଦ୍ଦେଶ୍ୟ ପ୍ରକଟିତ ଏବଂ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରଥ ହିଁ ଦ୍ରୁତ ଗମନାଗମନ ଓ ପରିବହନର ମାଧ୍ୟମ ଥିଲା ପୁରାଣ କାଳରୁ। ଦେବ, ଦାନବ ଏପରିକି ରାଜା ମହାରାଜାମାନେ ରଥାରୂଢ଼ ହୋଇ ଯୁଦ୍ଧ ଯାତ୍ରା କରୁଥିଲେ 

କେବଳ ବୈଦିକ ବା ପୁରାଣ ଯୁଗରେ ନୁହେଁ; ପରବର୍ତ୍ତୀ କାଳରେ ରଥ ଓ ରଥଯାତ୍ରା ପରମ୍ପରା ସମଗ୍ର ଭାରତୀୟ ସଂସ୍କୃତିର ଏକ ବିଚ୍ଛେଦୀୟ ଅଙ୍ଗ ଭାବରେ ପ୍ରଚଳିତ। ଖ୍ରୀଷ୍ଟୀୟ ୩୯୯ରେ ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱ ଚୀନ ପରିବ୍ରାଜକ ଫାହିୟାନ୍ ଭାରତ ପରିଭ୍ରମଣରେ କାଳରେ ଆସିଥିଲେ; ତାଙ୍କ ଲେଖା ଅନୁସାରେ ସେସମୟରେ ପାଟଳୀପୁତ୍ର ନଗରୀରେ ମହାଜନ ପନ୍ଥୀ ବୌଦ୍ଧମାନଙ୍କର ରଥଯାତ୍ରା ମହାସମାରୋହରେ ପାଳିତ ହେଉଥିଲା

ଭାରତୀୟ ରଥ ପରମ୍ପରାରେ – ଆତ୍ମରଥ, ଯୋଗରଥ, ବିଷ୍ଣୁରଥ, ଶକ୍ତିରଥ, ସୂର୍ଯ୍ୟରଥ, କନ୍ଦର୍ପ ରଥ ଓ ରୂପ ରଥ ଆଦି ସପ୍ତରଥର ବର୍ଣନା ରହିଛି । କଥୋପନିଷଦରେ ଆତ୍ମଜ୍ଞାନ ସଂପର୍କରେ ସୁନ୍ଦର ସୁପ୍ତରେ ମଣିଷ ଦେହକୁ ରଥ ସହ ତୁଳନା କରାଯାଇଛି ଅର୍ଥାତ୍, ଦେହ ହେଉଛି ରଥ, ଆତ୍ମା ହେଲା ସେ ରଥର ରଥି, ବୁଦ୍ଧି ହେଲା ରଥର ସାରଥୀ, ଯେଉଁଠି ମନ ହେଲା ରଥ ଦଉଡ଼ି ଓ ଇନ୍ଦ୍ରିୟମାନେ ସେ ରଥକୁ ଟାଣୁଥିବା ଘୋଡ଼ା 

ଯେତେବେଳେ ଆମେ ରଥଯାତ୍ରାର କଥା କହୁ, ସେବେ ପ୍ରଥମେ ବିଶ୍ଵ ପ୍ରସିଦ୍ଧ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ଭଗବତୀ ସୁଭଦ୍ରାଙ୍କ ଗୁଣ୍ଡିଚାଯାତ୍ରା ବା ଘୋଷଯାତ୍ରା କଥା ଭାବିଥାଉ। ହେଲେ ରଥଯାତ୍ରା କଣ କେବଳ ତାଙ୍କରି ପାଖରେ ସୀମିତ? ଉତ୍ତର ହେଲା "ନାଁ"! ପୁରୀର ରଥଯାତ୍ରା ବ୍ୟତୀତ ଅଶୋକାଷ୍ଟମୀରେ ଏକାମ୍ର ତୀର୍ଥ ତଥା ଭୁବନେଶ୍ଵରରେ ହେଉଥିବା ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଅର୍କକ୍ଷେତ୍ର କୋଣାର୍କରେ ମାଘ ସପ୍ତମୀରେ ହେଉଥିବା ସୂର୍ଯ୍ୟ ରଥଯାତ୍ରା ଅନ୍ୟତମ। ସଂପ୍ରତି କୋଣାର୍କର ରଥଯାତ୍ରା ବନ୍ଦ ହୋଇଯାଇଛି। ସେହିପରି ଦେବୀ ମାନଙ୍କ ମଧ୍ୟରେ କେବଳ ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କ ରଥଯାତ୍ରା ହୋଇଥାଏ 

ତନ୍ତ୍ରଚୂଡ଼ାମଣି ଏବଂ ବିରଜା କ୍ଷେତ୍ର ମାହାତ୍ମ୍ୟ ଅନୁସାରେ, ସତ୍ୟ ଯୁଗରେ ଦେବୀ ସତୀଙ୍କ ନାଭି ବର୍ତ୍ତମାନ ସମୟର ଯାଜପୁର ଠାରେ ପଡ଼ିଥିଲା, ଏବଂ ନାଭି ଦେଶରେ ନାରୀମାନେ ପିନ୍ଧୁଥିବା କଟିସୂତ୍ର ଅନୁସାରେ ଏହି ପୀଠର ନାମ ଓଡ୍ଡ୍ୟାଣ ପୀଠ ବା ଉଡ୍ଡୀୟାନ ତନ୍ତ୍ରପୀଠ ହୋଇଅଛି, ଏବଂ ଏହି ପ୍ରଦେଶର ନାମ ଓଡ୍ର ଦେଶ ଥିଲା। ମା'ଙ୍କୁ ପ୍ରତିଷ୍ଠା କରିବାକୁ ଆସି, ପିତାମହ ବ୍ରହ୍ମା ପୂଣ୍ୟତୋୟା ବୈତରଣୀ କୂଳରେ ଯଜ୍ଞ କରିଥିଲେ। ମାଘ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟାରେ ଉକ୍ତ ଯଜ୍ଞାଗ୍ନିରୁ ଆବିର୍ଭୂତା ହୋଇଥିଲେ ଭଗବତୀ ମା' ବିରଜା



 

ଦେବୀଂ ବ୍ରହ୍ମାଗ୍ନିଜାତା ମହିଷତନୁଗତା 

ଶୂଳ ଲାଙ୍ଗୁଳ ହସ୍ତା ଶୂଳଂ ଭିତ୍ବାଜ ପୃଷ୍ଠେ 

ଶୂଳରିପୁ ମହିଷ ପ୍ରାଣହରା କରାଳା 

କାନ୍ତ୍ୟା ସ୍ବର୍ଣ୍ୟା ବନ୍ଦିତା ଶଶୀ 

ଶିବ ଶୁଭନାଗ ବିଘ୍ନେନ୍ଦୁଚୁଡା 

ବିରଜାମେ ମଂଗଳେ ମଂଗଳାନାମଂ । 

ଓଡ଼ିଶାରେ ଦେଖାଯାଉଥିବା ପ୍ରାଚୀନ ଦୁର୍ଗା ବିଗ୍ରହ ମାନଙ୍କ ମଧ୍ୟରେ ବିରଜା ସ୍ଵତନ୍ତ୍ରା। ଏଠାରେ ଦେବୀ ଦ୍ୱିଭୁଜା ମହିଷାସୁର ମର୍ଦ୍ଦିନୀ ଦୁର୍ଗା ରୂପରେ ପୂଜା ପାନ୍ତି। ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଥିବା ବେଳେ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ରହିଛି। ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ। ଦେବୀ ନିଜ ମୁକୁଟରେ ଗଣେଶ, ଶିବଲିଙ୍ଗ, ଶଚ୍ଛିଚକ୍ର ବା ଯୋନି, ନାଗ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି ମା'ଙ୍କ ବର୍ଣ୍ଣନା ସ୍କନ୍ଦ ପୁରାଣ, ବାୟୁ ପୁରାଣ, ବ୍ରହ୍ମାଣ୍ଡ ପୁରାଣ ଆଦିରେ ଦେଖିବାକୁ ମିଳେ। ଏପରିକି ମହାଭାରତରେ ତଥା ଆଦି ଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ଅଷ୍ଟାଦଶ ଶକ୍ତିପୀଠ ସ୍ତୁତିରେ, ମା'ଙ୍କୁ ଗିରିଜା ଦେବୀ ରୂପରେ ସମ୍ବୋଧନ କରିଛନ୍ତି 

ମା' ବିରଜାଙ୍କ ପତିତପାବନ ରଥଯାତ୍ରା ବହୁ ପ୍ରାଚୀନ। ଇତିହାସ କୁହେ ସୋମବଂଶୀ ମାନେ ଏହି ରଥ ଯାତ୍ରା ଆରମ୍ଭ କରିଥିଲେ। ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ଦ୍ଵାଦଶୀ (ସୁନିଆଁ) ଦିନ ରଥ ପାଇଁ ବନଯାଗ ଯାତ୍ରା ବା ବେଲବରଣୀ ହୁଏ ଏବଂ ମୂଳାଷ୍ଟମୀ ଦିନ ପ୍ରତିଷ୍ଠା ମଣ୍ଡପ ପାଖରେ ଅନୁକୂଳ କରାଯାଇ ରଥ କାମ ଆରମ୍ଭ ହୁଏ। ମହାଳୟା ଅମାବାସ୍ୟା ତିଥିରେ ଅଧିବାସ କରାଯାଇ ପ୍ରତିପଦା ଦିନଠାରୁ ମହାନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଏହି ରଥଯାତ୍ରା ଅନୁଷ୍ଠିତ ହୁଏ।ମହାପାର୍ବଣରେ ମା'ଙ୍କ ଅର୍ଚ୍ଚା ବିଗ୍ରହ ତଥା ବିଜେ ପ୍ରତିମାଙ୍କୁ ସୁସଜ୍ଜିତ ରଥରେ ପରିକ୍ରମଣ କରାଯାଏ। ତା' ପୂର୍ବରୁ ଦେବୀଙ୍କ ରୌପ୍ୟ ଆଶାଦଣ୍ଡ ରଥ ମଣ୍ଡପକୁ ବିଜେ କରନ୍ତି। ସେଠାରେ ଗଣପତି ଓ ଦଶଦିଗପାଳଙ୍କ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥାଏ। ନବ ଦିବସ ବ୍ୟାପି ପ୍ରତିଦିନ ଅପରାହ୍ନରେ ଏହା ମନ୍ଦିର ପରିକ୍ରମଣ କରେ 

 


ରଥର ନାମ ସିଂହଧ୍ଵଜ/ବିଜୟ ରଥ/ମାୟା ରଥ ହୋଇଥିବା ବେଳେ ରଥର ସାରଥି ହେଲେ ବ୍ରହ୍ମା। ୪୫ ହାତ ଉଚ୍ଚତା ବିଶିଷ୍ଟ ରଥଟି ୧୦୧୭ ଖଣ୍ଡ ନାନା ପ୍ରକାର କାଠରେ ନିର୍ମିତ। ରଥରେ ୧୨ଟି ଚକ ଓ ପ୍ରତି ଚକରେ ୮ଟି ଅର ଥାଏ। ରଥରେ ଯୋଡ଼ା ହୋଇଥାନ୍ତି ୫ଟି  ଶ୍ୱେତ ରଙ୍ଗର ଘୋଡ଼ା। ଏଥିରେ ବନ୍ଧା ହୋଇଥିବା ଦୁଇଟି ଦଉଡ଼ି ହେଲେ ସ୍ଵର୍ଣ୍ଣଚୁଡ଼ ଓ ଶଙ୍ଖଚୁଡ଼। ରଥରେ ୫ଟି  ବିଦ୍ୟାଙ୍କ ସହ ୨୫ ଜଣ ପାର୍ଶ୍ଵ ଦେବତା ଓ ୯ ଜଣ ପାର୍ଶ୍ଵ ଦେବଦେବୀ ରହିଥାନ୍ତି। ରଥର ରକ୍ଷାକର୍ତ୍ତୀ ହେଲେ ସରସ୍ଵତୀ ଏବଂ ରକ୍ଷକ ହେଲେ ମହାବିଷ୍ଣୁ ଓ ନୃସିଂହ। ଏହାର ଶକ୍ତି ହେଲେ ବ୍ରହ୍ମଚାରିଣୀ। ଧ୍ୱଜାଚକ୍ର ହେଲେ ପରମବୈଷ୍ଣବୀ ଏବଂ ବିଶ୍ୱାସ କରାଯାଏ କି ଏହି ଧ୍ୱଜାରେ ମହା ତ୍ରିପୁରା ସୁନ୍ଦରୀ ରୁହନ୍ତି





 

ନବମ ଦିନ ଅପରାଜିତା ପୂଜା ଦେବୀଙ୍କ ପାଖରେ କରାଯାଏ ଓ ଦେବୀ ମହିଷାସୁରକୁ ବଦ୍ଧ କରନ୍ତି। ରଥଯାତ୍ରା ଶେଷକରି ନବମୀ ଦିନ ମଧ୍ୟରାତ୍ରରେ ଦେବୀଙ୍କ ଚଳନ୍ତି ପ୍ରତିମାକୁ ମହା ଆଡ଼ମ୍ବରରେ ବିମାନରେ ବିଜେ କରି ଲାଖବିନ୍ଧା ପଡ଼ିଆକୁ ଶୋଭାଯାତ୍ରାରେ ନିଆଯାଏ। ସେଠାରେ ତା'ଙ୍କୁ ମହାମାରୀ ରୂପେ ପୂଜା କରାଯାଇ, ଏକ ବିଶେଷ ପ୍ରକାର ପଣା ଲାଗି କରାଯାଏ। ପରେ ପୂଜାରୀ ନିଜକୁ ଦେବୀଙ୍କର ପ୍ରତିନିଧି ରୂପେ, ଚତୁର୍ଦ୍ଦିଗକୁ ଲାଖ (ତୀର) ନିକ୍ଷେପ କରନ୍ତି। ଏହାପରେ ଦେବୀଙ୍କ ପ୍ରତିମା ମନ୍ଦିରକୁ ଫେରନ୍ତି। ଶାରଦୀୟ ଦୁର୍ଗାପୂଜା ତଥା ଶୋଡ଼ଶ ଉପଚାର ପୂଜା ଉଭୟ ବୈଦିକ ଆଉ ତନ୍ତ୍ର ପଦ୍ଧତିରେ ହୁଏ, ଏହା ବ୍ୟତୀତ ମା' ବିରଜା ଦେବୀଙ୍କର ଏହି ଅନନ୍ୟ ରଥଯାତ୍ରା ଦେଖିବାକୁ ବହୁ ଜନସମାଗମ ହୁଏ 



Dinalipi

Samaya

Sambadakalika




Post a Comment

0 Comments