Published in Dinalipi 📎, Sruti 📎, Darshana 📎, Seithuarambha 📎 and Sambadakalika
Read it in English
ଦୂର ଅତୀତରେ ଉତ୍କଳ ନୌବାଣିଜ୍ୟର ପରମ୍ପରା ଭାରତ କାହିଁକି, ସାରା ବିଶ୍ବ ଇତିହାସରେ ସୃଷ୍ଟି କରିଥିଲା ଏକ ଗୌରବମୟ ଅଧ୍ୟାୟ। ଉତ୍କଳୀୟମାନେ ସାଧାରଣ ଡଙ୍ଗା ଠୁଁ ଆରମ୍ଭ କରି ବାଣିଜ୍ୟିକ ଜାହାଜ ନିର୍ମାଣର ଜ୍ଞାନରେ ଅତି ନିପୁଣ ଥିଲେ। ତେଣୁ ନୌବାଣିଜ୍ୟ ପାଇଁ ଏ ଜାତିକୁ ଅଶାନ୍ତ ସାଗରର ବକ୍ଷ ତଥା ଦରିଆପାରି ଦେଶ କରୁଥିଲା ଆହ୍ୱାନ। ସମୁଦ୍ର ଥିଲା ସେମାନଙ୍କ ପାଇଁ ପବିତ୍ର ତୀର୍ଥ। ବିସ୍ତୃତ ନୀଳ ସମୁଦ୍ରର ବକ୍ଷ ଭେଦ କରି ସାତ ସମୁଦ୍ର ତେର ନଈ ପାର ହୋଇ ବୋଇତ ନେଇ ବିଦେଶକୁ ଯାଉଥିଲେ ଏବଂ ସେଠାରେ ସେମାନେ ବାଣିଜ୍ୟ କରି ଓ ବୋହି ଆଣୁଥିଲେ ଧନ, ରତ୍ନ, ମଣି, ମୁକ୍ତା, ବିଭବ ଓ ଅମାପ ସମ୍ପଦ। ସମ୍ପ୍ରସାରିତ ଓ ପ୍ରଭାବିତ କରିଥିଲେ କଳିଙ୍ଗର ଉନ୍ନତ ଗୌରବମୟ ସଂସ୍କୃତି ଓ ସଭ୍ୟତାକୁ। ବାନ୍ଧି ଥିଲେ କଳିଙ୍ଗ ସହିତ ରୋମ ସାମ୍ରାଜ୍ୟ, ଆଫ୍ରିକା ମହାଦେଶ, ଦକ୍ଷିଣ-ପୂର୍ବ ଏସିଆର ଜାଭା, ସୁମାତ୍ରା, ବାଲି, ମାଳୟ, ବର୍ଣ୍ଣିଓ, ଚୀନ୍, ଜାପାନ, ସିଂହଳ, ବ୍ରହ୍ମଦେଶ ଇତ୍ୟାଦି ସହିତ ସାମାଜିକ, ରାଜନୈତିକ ବାଣିଜ୍ୟିକ ତଥା ସାଂସ୍କୃତିକ ସେତୁ। ଗଢ଼ି ତୋଳି ଥିଲେ ଅନେକ ଉପନିବେଶ ବିଦେଶୀ ମାଟିରେ। ଏଥିପାଇଁ ଦାୟୀ ସମୁଦ୍ରପ୍ରେମୀ ଓଡ଼ିଆ ଜାତିର ନିର୍ଭୀକତା ଓ ଦୁଃସାହସିକତା, କଳିଙ୍ଗ ନାବିକ ଓ ସମୁଦ୍ରଜୀବୀମାନଙ୍କର ନୌ-ଚାଳନା ନିପୁଣତା।
ଇତିହାସ କହେ ଯେ, ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ (ମଗଧର ନନ୍ଦ ରାଜତ୍ୱ ଖ୍ରୀ:ପୂ: ୪୬୦ ପୂର୍ବ)ରୁ ମଧ୍ୟଯୁଗର ଶେଷ ପର୍ଯ୍ୟନ୍ତ କଳିଙ୍ଗ ପୋତଗୁଡ଼ିକ କଳିଙ୍ଗ ମହୋଦଧିକୁ ଆଚ୍ଛନ୍ନ କରି ଦକ୍ଷିଣ-ପୂର୍ବ ଏସିଆ ଦ୍ଵୀପପୁଞ୍ଜ : ଇଣ୍ଡୋନେସିଆ ଠାରୁ ଆରମ୍ଭ କରି ଇଣ୍ଡୋ-ଚୀନ ପର୍ଯ୍ୟନ୍ତ ନିଜର ବାଣିଜ୍ୟିକ, ସାଂସ୍କୃତିକ, ଧାର୍ମିକ, ଅର୍ଥନୈତିକ ସମ୍ପର୍କ ସମ୍ପ୍ରସାରିତ କରିଥିଲେ ତଥା ଅଚିନ୍ତ୍ଯ ସମୃଦ୍ଧି ହାସଲ କରିବା ସହ ବଙ୍ଗୋପସାଗର ଉପରେ ରାଜତ୍ୱ କରୁଥିଲେ। ସେତେବେଳେ ଏଇ ସାଧବଙ୍କର (ବାଣିଜ୍ୟକାରୀଙ୍କୁ 'ସାର୍ଥ' ଓ ଏହାର ମୁଖ୍ୟଙ୍କୁ 'ସାର୍ଥବାହ' କୁହାଯାଉଥିଲା ଏବଂ ଏହି 'ସାର୍ଥବାହ' ଶବ୍ଦରୁ ସାଧବ ଶବ୍ଦର ଉତ୍ପତ୍ତି ହୋଇଛି) ଆଧିପତ୍ୟ ଏତେ ଥିଲା ଯେ ବଙ୍ଗୋପସାଗରକୁ 'କଳିଙ୍ଗ ସାଗର' ବା 'କଳିଙ୍ଗୋଦ୍ର' କୁହାଯାଉଥିଲା। ଏହି ଯୋଗୁଁ ମହାକବି କାଳିଦାସ ତାଙ୍କ ରଘୁବଂଶ କାବ୍ୟରେ କଳିଙ୍ଗାଧିପତିଙ୍କୁ "ମହୋଦଧିପତି" ଭାବେ ସମ୍ବୋଧନ କରିଛନ୍ତି ଓ କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ବୀପ କଳିଙ୍ଗ ଦେଶ(ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ) ବୋଲି କୁହାଯାଉଥିଲା।
ଖ୍ରୀଷ୍ଟାବ୍ଦ ପ୍ରଥମ ଥିଲା ଏକ ସ୍ମରଣୀୟ ଶତାବ୍ଦୀ। ଏହି ସମୟରେ କଳିଙ୍ଗ ତାହାର ଆନ୍ତର୍ଜାତୀୟ ଉପନିବେଶ ପ୍ରତିଷ୍ଠା କରିଥିଲା। କଳିଙ୍ଗର ସୌଦାଗରମାନେ ବୋଇତ ବାହି କେବଳ ବର୍ମା, ଜାଭା, ମାଲ୍କାସ, ସିଂହଳରେ ବାଣିଜ୍ୟ କାରବାର କରୁ ନଥିଲେ, ପରନ୍ତୁ ସମଗ୍ର ଦକ୍ଷିଣ-ପୂର୍ବ ଦ୍ବୀପପୁଞ୍ଜରେ ନିଜର ଆଧୂପତ୍ୟ ବିସ୍ତାର କରିଥିଲେ। କେତେକ ବଣିକ ସେଠାରେ ନିଜର ଉପନିବେଶ ପ୍ରତିଷ୍ଠା କରି ସ୍ଥାୟୀ ବସତି ନିର୍ମାଣ କରିଥିଲେ। ଖ୍ରୀଷ୍ଟାବ୍ଦ ୭୫ରେ କେତେକ ବଣିକ ଯାଇ ଜାଭାରେ ବସତି ସତି ସ୍ଥାପନ କଲେ ଏବଂ ଆଜି ପର୍ଯ୍ୟନ୍ତ ସେଠାରେ ପ୍ରଚଳିତ ଏକ ଅଙ୍କ ସେହିଦିନଠାରୁ ଠାରୁ ସେଠାରେ ଶୁଭାରମ୍ଭ ହୋଇଥିଲା। ପୁରୁଷାନୁକ୍ରମେ କଳିଙ୍ଗର ସେହି ଉପନିବେଶରେ କ୍ଲିଙ୍ଗ ନାମକ ଏକ ସଂପ୍ରଦାୟ ବାସ କରନ୍ତି ଏବଂ ଏମାନେ ଜାଭାର ମୂଳବାସିନ୍ଦାଠାରୁ ଭିନ୍ନ ଭାବରେ ପରିଚିତ ହୋଇ ଇଥାଆନ୍ତି।
କଳିଙ୍ଗର ଜଳପଥରେ ଆନ୍ତର୍ବାଣିଜ୍ୟ ତଥା ସାମୁଦ୍ରିକ ବହିର୍ବାଣିଜ୍ୟ ପ୍ରସଙ୍ଗ; ପ୍ଲିନିଙ୍କ ନାଚୁରାଲ ହିଷ୍ଟ୍ରି, ପ୍ରଥମ ଶତାବ୍ଦୀର ଟଲେମିଙ୍କ ଭୂଗୋଳ, ପେରିପ୍ଲସ ଅଫ୍ ଦି ଆରିଥ୍ରିଆନ ସି, ବୌଦ୍ଧଗ୍ରନ୍ଥ, ଦାଠା ଧାତୁବଂଶ, ଲଳିତ ବିସ୍ତର, ଜାତକ, ସେଉକୀ, ଚୀନ ପରିବ୍ରାଜକ ଫାହିୟାନ୍ (ଖ୍ରୀ:୩୯୯-୪୧୫), ହୁଏନ୍ସା (ସପ୍ତମ), ମେଘାସ୍ଥିନିସ୍, ଇ.ସିଙ୍ଗ୍ (୬୭୩ ଖ୍ରୀ:- ୬୯୬)ଙ୍କ ବିବରଣୀ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ବହୁ ଲୋକକଥା, ଲୋକଗୀତ, ଲୋକକଳା, ପଟ୍ଟଚିତ୍ର ତଥା ଉତ୍କଳୀୟ ରଚନାଗୁଡ଼ିକରୁ ଜାଣିହୁଏ। 'ଅର୍ଥଶାସ୍ତ୍ର' ଅନୁସାରେ ସାଧବମାନେ ସୂକ୍ଷ୍ମ ବସ୍ତ୍ର, କୋଶା ବସ୍ତ୍ର ଓ କପାବସ୍ତ୍ର, ହାତୀ ଓ ହାତୀଦାନ୍ତ ସାମଗ୍ରୀ, ହୀରାକୁଦରୁ ପ୍ରାପ୍ତ ଧାତୁକୁ ନେଇ ବିଭିନ୍ନ ଧାତୁକର୍ମ ତାରକସି କାମ, ମାଟିପାତ୍ର, ଲୁଣ, ଚାଉଳ ଆଦି ରପ୍ତ ରପ୍ତାନୀ ରୁଥିଲେ।
ଚିଲିକା ହ୍ରଦେ ସହସଂତୁ ଜଳଗାମୀ ସୁବୋଇତଃ
ବହୁ ଚକ୍ରାନ୍ତିତ୍ବାଃ ଶୀଘ୍ରାଃ ଯନ୍ତ୍ରଗାଃ ଚାଳକାଶ୍ରିତାଃ
ବାଣିଜ୍ୟ କରଣେ ଶକ୍ତାଃ ତ୍ରିପଞ୍ଚ ଶିଖରା କୃତାଃ
ଦ୍ବୀପାନ୍ତର ଗତାୟାତାଃ ଜାଭା ମଳୟ ସିଂହଳେ।~ ବ୍ରହ୍ମାଣ୍ଡ ପୁରାଣ
ଏବେ ସେ ପୂର୍ବ ଗୌରବ ଲୁପ୍ତ ପ୍ରାୟ। ଓଡ଼ିଆ ପୁଅର ବୀରତ୍ଵ ସହିତ ଲୁଚିଯାଇଛି ଓଡ଼ିଆ ମାଟିର
ଗୌରବ। କର୍ପୁର ଉଡ଼ିଯାଇଛି ସିନା ହେଲେ କନା ପଡ଼ି ରହିଛି, ସେଇ ଅତୀତର ସେଇ ବିଶ୍ଵ ବନ୍ଦନୀୟ ପରମ୍ପରାରେ।
ପଣ୍ୟବାହୀ ବୋଇତ ବନ୍ଦାଇ ସାଧବ ପୁଅର ଶୁଭଯାତ୍ରା ମନାସୁ ଥିବା ସାଧବାଣୀର ସେହି ସ୍ମାରକୀ
ଦିବସଟିକୁ ଆବାଳ-ବୃଦ୍ଧ-ବନିତା ଆଜି ପାଳନ କରୁଛନ୍ତି ମହା ଆନନ୍ଦରେ। କାର୍ତ୍ତିକ ପୂର୍ଣ୍ଣମୀ
ଦିନ ପ୍ରତ୍ୟୁଷରୁ ସ୍ନାନାଦି ତର୍ପଣ ସମାପନ ପୂର୍ବକ ବୋଇତ ବନ୍ଦାଣ ପ୍ରଥା ପାଳନ କରାଯାଉଛି ନଦୀ,
ନାଳ, ପୁଷ୍କରିଣୀ ଆଦି ଯେଉଁଠି ବି ବି ସାମାନ୍ଯ ସହ ଜଳ
ରହିଛି, ସେଠି ଭାସି ଉଠୁଛି କଦଳୀ
ପଟୁଆ, କାଗଜ, ସୋଲ ନିର୍ମିତ ଛୋଟ ଛୋଟ ବୋଇତ। ଆଉ ଏହି ବୋଇତର
ସାମଗ୍ରୀ ହେଉଛି ପାନ, ଗୁଆ, ଫୁଲ ସହିତ ଦୀପଟିଏ କିମ୍ବା ସଳିତା କାଠିଟିଏ। 'ଆ–କା–ମା–ବୈ'ର ଶବ୍ଦରେ ନଦୀକୂଳ ପ୍ରକମ୍ପିତ ପ୍ରବ ହୋଇ ଉଠେ।
ଅର୍ଥାତ୍ ଆ- ଆକାଶ, କା- ଜଳ, ମା-ବ-ଇ ବା ମାର୍ଭେ - ଅଭୟ। ଉପରେ ସୀମାହୀନ ଉଦାସିଆ
ଆକାଶ, ଆଗରେ ମହାସମୁଦ୍ର ଏହାକୁ ଭୟ
ନକରି କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ସାଧବମାନଙ୍କୁ ପ୍ରେରଣା ଯୋଗାଏ।
ଏହି ବଚନିକାର ମଧ୍ୟ ଅନ୍ୟ କେତେକ ଆକ୍ଷରିକ ଓ ଐତିହାସିକ ମତ ଉପସ୍ଥାପିତ ହୋଇଥାଏ । ଯେପରି, ଦକ୍ଷିଣ-ପୂର୍ବ ଏସୀୟ ଦେଶ ଆଏଁଳା, କାମ୍ବୋଡ଼ିଆ, ମାଲେସିଆ, ବର୍ମା ଓ ଇଳ ଦ୍ବୀପପୁଞ୍ଜକୁ ମିଶାଇ ବ+ଇ (ବୈ) ପୂର୍ବେ ବାଣିଜ୍ୟ ସଂପର୍କ ରଖୁଥିବା ଦେଶଗୁଡ଼ିକର ସ୍ମୃତିଚାରଣ କରିଥାନ୍ତି। ଏବଂ ଅନ୍ୟ ଅର୍ଥରେ ଏହା ଥିଲା ସାଧବ ମାନଙ୍କ ଲାଗି ବାଣିଜ୍ୟର ମନ୍ତ୍ର। ଆ- ଆଷାଢ଼ରେ ବୋଇତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ବର୍ଷା ଋତୁର ବୁଷ୍ଟି ଜଳ ନିଷ୍କାସିତ ହେଉ ହେଉ କା- କାର୍ତ୍ତିକ ହୋଇ ଯାଇଥାଏ ଯାହା ସାଧବଙ୍କ ପାଇଁ ସୁଦୂର ସ୍ଥଳରେ ବାଣିଜ୍ୟ ବ୍ୟବସାୟ କରିବାର ପ୍ରକୃଷ୍ଠ ସମୟ। ତେଣୁ କାର୍ତ୍ତିକ ଅମାବାସ୍ୟା ରାତିରେ ପିତୃପୁରୁଷଙ୍କୁ ସ୍ମରଣ କରିବା ପରେ ଆରମ୍ଭ ହୁଏ ବାଣିଜ୍ୟ ବ୍ୟବସାୟର ପ୍ରସ୍ତୁତିପର୍ବ। ୧୫ଦିନ ଧରି ଜିନିଷପତ୍ର ଲଦା କାର୍ଯ୍ୟ ଚାଲିବାପରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ସୂର୍ଯ୍ୟୋଦୟ ପୂର୍ବରୁ ବନ୍ଦାପନାପରେ ବୋଇତ ନିଜର ଲକ୍ଷ୍ୟପଥକୁ ଯାତ୍ରାରମ୍ଭ କରେ।
ଏହି ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯୋଗୁଁ ଉତ୍ତରା ପବନ ସାହାଯ୍ୟରେ ସାଧବ ମାନେ ବୋଇତଗୁଡ଼ିକରେ ପଣ୍ୟ ସମ୍ଭାର ଘେନି ବାଣିଜ୍ୟ ନିମନ୍ତେ ପୂର୍ବ ଦ୍ଵୀପ ପୁଞ୍ଜଗୁଡ଼ିକୁ ପ୍ରସ୍ଥାନ କରୁଥିଲେ। ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦକ୍ଷିଣସ୍ଥ ସ୍ଥାନ ମାନଙ୍କରୁ ଉତ୍ତରଗାମୀ ପୋତ ଏହି ସମୟରେ ଘରକୁ ମଧ୍ୟ ଫେରୁଥିଲେ। କାର୍ତ୍ତିକଠାରୁ ପୌଷ ପର୍ଯ୍ୟନ୍ତ ସେଠାରେ ବାଣିଜ୍ୟ ବିନିମୟ ଚାଲୁଥିଲା। ମା- ମାଘ ଫଗୁଣ ମାସରେ ଉତ୍ତର-ପୂର୍ବ ମୌସୁମୀ ଯୋଗୁଁ ଦକ୍ଷିଣା ପବନ ଆରମ୍ଭ ହେବା ସଙ୍ଗେ ସାଧବମାନେ ଗୃହାଭିମୁଖରେ ପ୍ରତ୍ୟାବର୍ତ୍ତନ କରୁଥିଲେ। ବୈ- ବୈଶାଖ ମାସରେ ଖରାଦିନିଆ ସାମୁଦ୍ରିକ ଝଡ଼ ଦେଖାଦେବା ପୂର୍ବରୁ ଏମାନେ ଦୀର୍ଘ ଛ'ମାସ ଧରି ବିଭିନ୍ନ ଅଞ୍ଚଳରେ ବ୍ୟବସାୟ ବାଣିଜ୍ୟ କରି ନିଜ ମାଟିକୁ ପ୍ରତ୍ଯାବର୍ତ୍ତନ କରନ୍ତି।
ଯେଉଁମାନେ ସୁଦୂର ସ୍ଥଳକୁ ଯାଇଥାନ୍ତି, ସେମାନେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅନ୍ତିମ ପର୍ଯ୍ୟାୟ ଅର୍ଥାତ ଆଶ୍ୱିନ ମାସ ବେଳକୁ ଫେରିଥାନ୍ତି। କାର୍ତ୍ତିକମାସ ସାରା ଯେଉଁ ଆକାଶଦୀପ ଜଳୁଥାଏ ତାକୁ ବତୀଘର ସହ ତୁଳନା କରାଯାଇଛି। ବତୀଘର ପରି ଏକ ଲମ୍ବ ବାଉଁଶ ଅଗରେ ଦୀପ ଜଳାଯାଇଥାଏ।
ଯେତେବେଳେ ନୌବାଣିଜ୍ୟ କାରବାରରେ ଉତ୍କଳ ଚରମ ପ୍ରଗତିରେ ପହଞ୍ଚିଲା, ସେତେବେଳେ ଦେଶର ସାମୁଦ୍ରିକ ଉପକୂଳ ତଥା ନଦୀ କୂଳେ କୂଳେ ରାଜ୍ୟ ମଧ୍ୟରେ ଅନେକଗୁଡ଼ିଏ ବାଣିଜ୍ୟ କେନ୍ଦ୍ର ଗଢ଼ି ଉଠିଲା। ବୌଦ୍ଧଗ୍ରନ୍ଥ ସେଉକିରୁ ଜଣାଯାଏ ଯେ ସେତେବେଳେ ପ୍ରାଚୀନ ଉତ୍କଳ ନଦୀ ଓ ସମୁଦ୍ର କୂଳରେ ଅନେକଗୁଡ଼ିଏ ପୋତାଶ୍ରୟ ଥିଲା। ବିଭିନ୍ନ ସେ ସ୍ରୋତରୁ ମିଳିଥିବା ବିବରଣୀ ଅନୁସାରେ ପ୍ରାଚୀନ କାଳରେ ଭାରତର ୯ଟି ସର୍ବବୃହତ୍ ବନ୍ଦର ମଧ୍ୟରୁ କେବଳ ଓଡ଼ିଶାରେ ୫ଟି ଥିଲା। ଏହି ଏହି ୫ଟି ବନ୍ଦର ହେଲେ - ତାମ୍ରଲିତି (ତାମଲୁକ), କୋଶମ୍ବ (ବାଲେଶ୍ବର), କୋନ୍ନଗର (କୋଣାର୍କ), ପାଲୁର (ଚିଲିକା), ପିଥୁଣ୍ଡ (କଳିଙ୍ଗ ଳିଙ୍ଗପଟନମ୍)। ଏହା ବ୍ୟତୀତ ଅନ୍ୟ ପ୍ରମୁଖ ବନ୍ଦର ହେଲା – ଦୋସରନ୍ (ବୈତରଣୀ ମୁହାଣ), ଆଦାମସ୍ (ସୁବର୍ଣ୍ଣରେଖା ମୁହା ମୁହାଣ), ପକୁରା (ଗଞ୍ଜାମ), ନନ୍ନିଗେନ (ପୁରୀ), ଚେଳିତୋଳ (ତିର୍ତ୍ତୋଲ), କଣ୍ଟକ ସିଲାଇ (ଘଣ୍ଟଶୀଳା), ପିପିଲି (ବାଲେଶ୍ୱର), ଛାନୁଆ (ଚାନ୍ଦବାଲି), କକର୍ଦମ (କଟକ), ମନନ୍ଦ (ମହାନଦୀ), ସମ୍ବଳକ (ସମ୍ବଲପୁର), ଦୋସରା (ବଲାଙ୍ଗୀର), ସୁକ୍ତିମତୀପୁର (ବଲାଙ୍ଗୀରର ସକମା), ଲଛନପୁର, ସାରଥ, ଧାମରା, ଚିଲିକା, ମାଣିକପାଟଣା, କଳିଙ୍ଗନଗର-ବଂଶଧରା, ଚରିତ୍ର ବା ଚେଲିତାଳୋ ବା ଚିତ୍ରୋତ୍ପଳା ଓ ଦନ୍ତପୁରମ୍ ଇତ୍ୟାଦି ଆହୁରି ଅନେକ।
ମାତ୍ର ଏକାଦଶ ଶତାବ୍ଦୀରେ ଦକ୍ଷିଣ ଭାରତର ଚୋଳ ବଂଶ ରାଜୁତି କରୁଥିବା ସମୟରେ କଳିଙ୍ଗର ନୌ-ଶକ୍ତିର ପତନ ଆରମ୍ଭ ହେଲା। ହିନ୍ଦୁ ମହାସାଗରରେ ଆରବ ନାବିକମାନଙ୍କର ପ୍ରତିପତ୍ତି ବଢ଼ିବାକୁ ଲାଗିଲା। ଓଡ଼ିଶାରେ ସେତେବେଳେ ଗଙ୍ଗ ଓ ସୂର୍ଯ୍ୟବଂଶୀ ରାଜାମାନେ ପରସ୍ପର ମଧ୍ୟରେ ଯୁଦ୍ଧରତ ଥିଲେ। କଳିଙ୍ଗର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା ରକ୍ଷା ଦିଗରେ କେହି ଧ୍ୟାନ ଦେଲେ ନାହିଁ। ପର୍ତ୍ତୁଗୀଜ୍ ଜଳଦସ୍ୟୁମାନେ ସମୁଦ୍ର ମଧ୍ୟରେ ଜାହାଜରୁ ଲୁଟତରାଜ କରିବାକୁ ଲାଗିଲେ। ଓଡ଼ିଆ ସାଧବମାନେ ସର୍ବସ୍ୱାନ୍ତ ହୋଇ ପଡ଼ିଲେ । ନୌ-ବାଣିଜ୍ୟରେ ବିଦେଶୀମ ମାନଙ୍କର ପ୍ରଭାବ ବଢ଼ିବାକୁ ଲାଗିଲା। ଓଡ଼ିଶାର ବଣିକମାନେ ସେମାନଙ୍କ ମୁକାବିଲା କରିପାରିଲେ ନାହିଁ। ସମ୍ପ୍ରତି ଓଡ଼ିଶା ଗୌରବମୟ ନୌ-ବାଣିଜ୍ୟ ଅତୀତ ଗର୍ଭରେ ଲୁଚିଯାଇଛି। ବୋଇତରେ ସାଗର ସେପାରି ରାଇଜକୁ ଯାତ୍ରା ଆଜି ପରୀ ରାଇଜର କାହାଣୀ। ତାମଲୁକରୁ ଚିଲିକା, ଚନ୍ଦ୍ରଭାଗାରୁ ଚାନ୍ଦବାଲି, ଧାମରାରୁ ବାଲେଶ୍ଵର ସାଗର ମୁଣ୍ଡ ବାଡେଇ ଝୁରୁଛି। କଳିଙ୍ଗସାଗର ଲୀନ ହୋଇଯାଇଛି ବଙ୍ଗସାଗରରେ। କିନ୍ତୁ ତା'ର ସ୍ମୃତି ଓଡ଼ିଆ ଜାତି ପ୍ରାଣରେ ଏବେବି ଉଜ୍ଜୀବିତ ହୋଇରହି ହିଛି। ବାଲିଯାତ୍ରା, ଦୀପାବଳୀ ଅମାବାସ୍ୟା, ବୋଇତ ବନ୍ଦାଣ, ଭୋଦେଇ ଓଷା, ଖୁଲଣା ସୁନ୍ଦରୀ ବା ନିଶା ମଙ୍ଗଳବାର, କୁହୁକ ମଣ୍ଡଳ, ଚଢ଼େଇ କଥା, କୁହୁକ କରାଟ, ଚୈତପର୍ବ, ଖୁଦୁରୁକୁଣୀ ଓଷା ପାଳନ ପଛରେ ଓଡ଼ିଆ ପୁଅର ପ୍ରାଚୀନ ନୌ-ଯାତ୍ରାର ଗୌରବମୟ ପରମ୍ପରା ଲୁଚି ରହିଛି। ଏ ସମ୍ପର୍କରେ କୌଣସି ଓଡ଼ିଆଙ୍କୁ ପଚାରିଲେ, ଉତ୍ତରରେ ସାଧାରଣ ଲୋକ ଧାର୍ମିକ ଭାବନା ଓ ଶିକ୍ଷିତଟିଏ ଅତୀତର ସ୍ମୃତି ରୋମନ୍ଥନ ବିଷୟରେ କହିପାରେ। ମାତ୍ର ଏହା ପଛରେ ଥିବା ତିକ୍ତ ମଧୁର ଇତିହାସ, ବର୍ତ୍ତମାନର ଅସହାୟତା ଆଉ ଭବିଷ୍ୟ ବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ପଦେ କହିପାରିବେ ନାହିଁ। ଏଥିପାଇଁ କାରଣ ଯାହା ଥାଉନା କାହିଁକି, ଏହାକୁ ପ୍ରକାଶ କରିବାରେ ଯେ ନିଜର ଅଜ୍ଞତା ରହିଛି, ତାହା କେହି ଅସ୍ୱୀକାର କରିବେ ନାହିଁ।






0 Comments