ଚଇତି ଘୋଡ଼ା ନାଚ


ଚୈତ୍ର ପୂର୍ଣ୍ଣିମା ହେଉଛି କୈବର୍ତ୍ତ ବା କେଉଟ ମାନଙ୍କର ଇଷ୍ଟଦେବୀଙ୍କ ପର୍ବ। ଏହି ପର୍ବକୁ ସାଧାରଣତଃ ଚଇତି ପୁନେଇ ଭାବରେ ଗାଁ ଗଣ୍ଡାରେ ଜଣାଶୁଣା। ଅନେକ ହିନ୍ଦୁ ସମ୍ପ୍ରଦାୟ ପାଇଁ ଏହା ଅତ୍ୟନ୍ତ ଶୁଭ ଦିନ ଏବଂ ଏହା ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପାଳନ କରାଯାଏ। ଏକ ମାସ ଧରି ଚାଲୁଥିବା 'ବୈଶାଖ ସ୍ନାନ' ଏହି ଦିନ ଠାରୁ ଆରମ୍ଭ ହୋଇଥାଏ।

ଓଡିଶାରେ, ମା ମଙ୍ଗଳାଙ୍କୁ ଉତ୍ସର୍ଗୀକୃତ ମାସର ସ୍ୱତନ୍ତ୍ର ପୂଜା ଏହି ଚୈତ୍ର ପୂର୍ଣ୍ଣିମାଠାରୁ ଆରମ୍ଭ ହୁଏ ଏବଂ ଏହି ନିର୍ଦ୍ଦିଷ୍ଟ ଦିନ କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ତାଙ୍କର ଇଷ୍ଟଦେବୀ ବାସେଳୀ ବା ବାସୁଳେଇଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରନ୍ତି। କାରଣ ସେମାନଙ୍କର ବିଶ୍ୱାସ ରହିଛି ଯେ, ଏହିଦିନ କାଠ ନିର୍ମିତ ଘୋଡ଼ାକୁ ବାସୁଳେଇଙ୍କ ପ୍ରତିନିଧି ରୂପେ ପୁଜିଲେ, ସେମାନେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ନିରାପଦରେ ଯାଇ ଫେରି ଆସନ୍ତି।

ପୌରାଣିକ ମତେ ସତ୍ୟଯୁଗରେ ପୃଥିବୀ ଜଳାର୍ଣ୍ଣବ ହୋଇଥିଲା। କଳ୍ପବଟ ଛଡ଼ା ଆଉସବୁ ଜଳ ମଧ୍ୟରେ ବୁଡ଼ିରହିଥିଲା। କଳ୍ପବଟରେ ଅନନ୍ତ ଶୟନରେ ଥିବା ବିଷ୍ଣୁ ନିଜ କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ। ପାଣି ଭିତରେ ଥିବା ରାଘବ ମତ୍ସ୍ୟ ସେହି ପୁରୁଷକୁ ଗିଳିଦେଲା। ଚୈତ୍ର ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାପରେ ସେ ରାଘବ ମତ୍ସ୍ୟକୁ ହତ୍ୟାକରି ପୁରୁଷକୁ ଉଦ୍ଧାର କଲେ ଓ ସେ ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା। ପୃଥିବୀ ପୂର୍ବ ଅବସ୍ଥାକୁ ଫେରିଲା। ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତାର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କୁ ଆରାଧନା କରି ସୁଖରେ ବଞ୍ଚିବାକୁ କହିଲେ। ସେବେଠାରୁ କୈବର୍ତ୍ତ ମାଛ ମାରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ା ନାଚ କଲା। ଏହିଦିନ କୈବର୍ତ୍ତମାନେ ନୂଆବସ୍ତ୍ର ପିନ୍ଧିବା ସହ ଡ଼ଙ୍ଗା ଓ ଜାଲ ପୂଜା କରିଥାନ୍ତି। ଯାହା କୈବର୍ତ୍ତ ଭାଇ ମାନଙ୍କ ଗୀତ ରୁ ଜଣାପଡେ। ଅନ୍ୟ ଏକ ମତ ଅନୁସାର ରାମଚନ୍ଦ୍ର ବନବାସ କରିବାକୁ ଯିବା ସମୟରେ ତାଙ୍କୁ ଯେଉଁ ଧୀବର ବା ଦାସରାଜ ଡଙ୍ଗାରେ ବସାଇ ସରଯୁ ନଦୀକୁ ପାର କରାଇଥିଲା, ରାମଚନ୍ଦ୍ର ତାକୁ ଗୋଟିଏ ଘୋଡ଼ା ପୁରସ୍କାର ରୂପେ ଦେଇଥିଲେ; ସେହି ଦିନରୁ କେଉଟମାନେ ଘୋଡ଼ାର ରୂପ ନିର୍ମାଣ କରି ପୂଜା କରି ଆସୁଅଛନ୍ତି।

ଚଇତି-ଘୋଡା ନାଚ ହେଉଛି ଓଡ଼ିଶାର ଏକ ଲୋକନୃତ୍ୟ ଯାହା ଉପକୂଳବର୍ତ୍ତୀ ଅଞ୍ଚଳର ଶାକ୍ତ ପରମ୍ପରା ସହିତ ଜଡ଼ିତ କଳାସଂସ୍କୃତିର ଏକ ନିଆରା ରୂପ ଏବଂ କେବଳ କୈବର୍ତ୍ତ ବା କେଉଟ (ମତ୍ସ୍ୟଜୀବୀ) ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସୀମିତ। ଏହି ପର୍ବ ଆଠ ଦିନ ଧରି ସେମାନଙ୍କ ଜାତିର ଇଷ୍ଟଦେବୀ ବାସୁଳେଇଙ୍କ ସମ୍ମାନାର୍ଥେ ପାଳନ କରାଯାଏ।
 “ବାଟରେ ମାଇଲି ବୋଡ଼ା,
ରାତିରେ ନଚାଏ ଚଇତି ଘୋଡ଼ା,
ମୁଁ ଦିନରେ କୁଟଇ ଚୁଡ଼ା।”
ଚୈତ ପୂର୍ଣ୍ଣିମା ସନ୍ଧ୍ୟାରେ କାଠରେ ନିର୍ମିତ ଏକ ସୁସଜ୍ଜିତ ଘୋଡ଼ା ମୁଣ୍ଡକୁ ରଙ୍ଗୀନ କପଡ଼ା ତଥା ଜରି ଦ୍ୱାରା ଏକ ଆଚ୍ଛାଦିତ ବାଉଁଶ ପାତିଆରେ ନିର୍ମିତ ଢୋଲପିଠିକୁ ସୁନ୍ଦର ଭାବରେ ଯୋଡ଼ା ଯାଏ। ଜଣେ ବ୍ୟକ୍ତି ସେହି ଢୋଲପିଠି ଭିତରେ ପଶି, ସମ୍ପୂର୍ଣ୍ଣ ଘୋଡ଼ାଟିକୁ ବେକରେ ପକାଇ ଘୋଡ଼ା ନଚାନ୍ତି। ସ୍ଥାନୀୟ କବିଙ୍କ ଦ୍ୱାରା ରଚିତ ଗୀତ ସହ ଢୋଲ ଓ ମହୁରୀ ତାଳରେ, ଘୋଡ଼ା ଆଗକୁ ଓ ପଛକୁ ଝୁଲି ଝୁଲି ନାଚେ। ଏହି ନାଚ ବେଳେ ଦୁଇଜଣ ନୃତ୍ୟଶିଳ୍ପୀ, ଜଣେ ପୁରୁଷ ଏବଂ ଜଣେ ମହିଳା (ମହିଳା ପୋଷାକରେ ଜଣେ ପୁରୁଷ) ରହିଥାନ୍ତି ଓ ପୁରୁଷମାନଙ୍କୁ 'ରାଉତ' ଏବଂ ମହିଳାମାନଙ୍କୁ 'ରାଉତାଣୀ' କୁହାଯାଏ। ସେମାନେ ଗୀତରେ ଗୀତରେ ବିଭିନ୍ନ କିମ୍ବଦନ୍ତୀ ବର୍ଣ୍ଣନା କରନ୍ତି, ପ୍ରଶ୍ନ ପଚାରି ଉତ୍ତର ମଧ୍ୟ ଦିଅନ୍ତି। ଏହି ନାଚରେ ଦୁଇ ରଙ୍ଗର ଘୋଡ଼ା ଥାଆନ୍ତି, କଳା ଘୋଡ଼ା ଏବଂ ଧଳା ଘୋଡ଼ା। ଏହି ଲୋକ ନୃତ୍ୟ ପ୍ରଦର୍ଶନକୁ ଘୋଡ଼ା ନାଚ କୁହାଯାଏ। କୈବର୍ତ୍ତ ତଥା କଳାକାର ମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଏହି ନୃତ୍ୟ ଶିଖିଥାନ୍ତି। ଏହି ରୀତିନୀତି ପଛରେ ଥିବା କାହାଣୀ ଆମେ ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କଦ୍ୱାରା ଲିଖିତ ଏକ ପୁସ୍ତକ 'କୈବର୍ତ୍ତ ଗୀତା' ରୁ ପାଇଥାଉ।
ଏହାକୁ ଲୋକମାନେ ଆଗକୁ ନେଇ ଓଡ଼ିଶାର ଅନ୍ୟ ପର୍ବ ଗୁଡ଼ିକପରି ଏକ ବଡ଼ ଢଙ୍ଗରେ ପାଳନ କରିଲେଣି। ଘୋଡ଼ା ନାଚରେ ଷଣ୍ଢ ଲଢ଼େଇ, ଦାଶକାଠିଆ, ଘଣ୍ଟ ନାଚ ଭଳି ଅନେକ ପ୍ରକାରର ଲୋକ ନୃତ୍ୟ ଯୋଗ ହୋଇ, ଏହାର ମାନ ଆହୁରି ବଢାଇଲେଣି।

https://epaper.odishareporter.in/c/50739318

Post a Comment

0 Comments