Published in Shubhadrushti
ଆଜି ମାର୍ଚ୍ଚ ୨୦ ଅର୍ଥାତ ପଖାଳ ଦିବସ। ଓଡ଼ିଆ ଖାଦ୍ୟକୁ ବା ମୁଖ୍ୟତଃ ପଖାଳକୁ ପ୍ରୋତ୍ସାହିତ କରି ଲୋକଲୋଚନକୁ ଆଣିବା ପାଇଁ ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ପଖାଳ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଲୋକମାନେ ପଖାଳକୁ ଗରମ ଦିନେ ଅଧିକ ଖାଉଥିବାରୁ ଏହି ପାରମ୍ପାରିକ ଖାଦ୍ୟ ସହିତ ଗ୍ରୀଷ୍ମ ଋତୁକୁ ସ୍ୱାଗତ କରିବା ପାଇଁ ମାର୍ଚ୍ଚ ୨୦ ରେ ସମସ୍ତେ ପଖାଳ ଖାଇ ପଖାଳ ଦିବସ ପାଳନ କରିବାକୁ ସ୍ଥିର କରିଥିଲେ।
ଦୁନିଆର ପ୍ରତ୍ୟେକ ଅଞ୍ଚଳରେ କିଛି ନା କିଛି ବିଶେଷ ଖାଦ୍ୟ ଥାଏ ଯାହା ସେହି ଅଞ୍ଚଳର ସାଂସ୍କୃତିକ ପରିଚୟକୁ ବ୍ୟାଖ୍ୟା କରେ। ଆଉ ଆମ ପଖାଳ ହେଉଛି ସେହି ପରି ଏକ ପାରମ୍ପରିକ ଖାଦ୍ୟ, ଯାହା ପ୍ରତ୍ୟେକ ଓଡ଼ିଆ ଘରର ରୋଷେଇର ଅସ୍ତିତ୍ୱର କେନ୍ଦ୍ରବିନ୍ଦୁ। ଯୁଗ ବଦଳିଛି, ସମୟକ୍ରମେ ଯୁଗ ସହ ଚାଲିଚଳଣୀ ଓ ଢାଞ୍ଚା ମଧ୍ୟ ବଦଳିଛି। ହେଲେ ବଦଳିନି ଆମ ଓଡ଼ିଆ ମାନଙ୍କର ପଖାଳର ଖାଇବା ପାଇଁ ଚାହିଦା କି ସେହି ପଖାଳ କଂସାର ପାରମ୍ପରିକ ମହକ ପାଇଁ ଆତୁରତା। ସେ ଗରିବ ହେଉ ବା ଧନୀ, ପଖାଳ ଆଗରେ ସମସ୍ତେ ସମାନ। ଆମେ କହିପାରିବାନି ଯେ, କେହି ଓଡ଼ିଶାରେ ଜନ୍ମ ହୋଇ ପଖାଳ ଖାଇନି। ଆମେ ପଖାଳକୁ ଆମ ଜାତିର ପରିଚୟ ବୋଲି ମଧ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ଖରାଦିନ ହେଉ ଅବା ନହେଉ, ଅନ୍ୟ ସାଧାରଣ ଦିନ ମାନଙ୍କରେବି ପଖାଳର ରାଜୁତି ବର୍ଷ ସାରା ଚାଲିଥାଏ ଆମ ଓଡ଼ିଆଙ୍କ ଘରେ। ଆଉ ଯଦି ଗ୍ରୀଷ୍ମ ଋତୁ କଥା ଧରା ଯାଏ, ତେବେ ଖରା ଓ ଗରମ ଯେତେ ବଢ଼ିଥାଏ; ସବୁ ଓଡ଼ିଆଙ୍କ ପଖାଳ ପ୍ରତି ଲାଳସା ସେତେ ବଢି଼ଥାଏ। ଘରେ ହେଉକି ବାହାରେ, ଅତିକମରେ ମଧ୍ୟାହ୍ନ ଭୋଜନରେ ଆମ ଓଡ଼ିଆଙ୍କର ପ୍ରଥମ ପସନ୍ଦ ରହି ଆସିଛି ଏହି ପଖାଳ।
ଆମ ଦେଶ ବିଷୁବ ରେଖା ନିକଟରେ ହୋଇଥିବାରୁ, ଏହା ଏକ ଗ୍ରୀଷ୍ମ ପ୍ରଧାନ ଦେଶ। କେବଳ ଶୀତ ଋତୁର କିଛିଦିନ ଛାଡ଼ି ଦେଲେ, ପ୍ରାୟ ଆଉ ସବୁଦିନ ଆମେ ଗରମ ଅନୁଭବ କରିଥାଉ। ଏପରି ଜଳବାୟୁ ପାଇଁ ଆମ ଶରୀରକୁ ଅଧିକ ଜଳୀୟ ଅଂଶ ଥିବା ଖାଦ୍ୟର ଆବଶ୍ୟକତା ରହିଥାଏ ଏବଂ ୟାକୁ ମେଣ୍ଟାଇବାକୁ ଆମ ପୂର୍ବ ପୁରୁଷ ମାନେ, ପଖାଳ ରୂପେ ଆବିଷ୍କାର କରିଥିଲେ ଏକ ଅନନ୍ୟ ଉପାୟ। ଯେଉଁଥିରେ ଭାତରେ ଶ୍ଵେତସାର ଢେର ରହିଥିବା ବେଳେ ତୋରାଣିରେ ଉପଯୁକ୍ତ ପରିମାଣର ଜଳୀୟଅଂଶ ରହିଥାଏ। ଏହି ପଖାଳ ଖାଇବା ଦ୍ୱାରା ଲୋକ ମାନେ ଅଂଶୁଘାତରୁ ମଧ୍ୟ କିଛି ପରିମାଣରେ ରକ୍ଷା ପାଇଯା'ନ୍ତି।
ସବୁ ଜିନିଷ ଭଳି, ପଖାଳର ସୁନାମ ଯେତିକି ଦୁର୍ନାମ ମଧ୍ୟ ରହିଛି। ଯଦି କେହି ପଢ଼ାଯାଉଥିବା ସମୟରେ ଢୋଳେଇ ପଡ଼ିଲା ବା କୌଣସି କାମରେ ମାନ୍ଦୋଉଛି, ତେଣିକି ଏହା ପଛର କାରଣ ଯାହାବି ହେଇଥାଉ ନା କାହିଁକି, ପ୍ରଥମେ ସବୁ ଦୋଷ ପଖାଳ ମୁଣ୍ଡକୁ ହିଁ ପେଲିଦିଆ ଯାଏ। କାରଣ ପଖାଳ ଖାଇଲେ ଟି ନିଦ ଆସେ ବୋଲି ଧାରଣା ରହିଛି।
ଓଡ଼ିଆର ହୃଦପଦ ତଥା ମାନବୀୟ ଲୀଳା କରୁଥିବା ଆମ କାଳିଆ ସାଆନ୍ତ ମଧ୍ୟ ଗ୍ରୀଷ୍ମ ପ୍ରବାହରୁ ନିଜକୁ ରକ୍ଷା କରିବାକୁ ଚନ୍ଦନ ଯାତ୍ରା ସମୟରେ ଦହି ପଖାଳ ଖାଇ ଚାପ ଖେଳିବାକୁ ଯାଆନ୍ତି। ଆଉ ସେମିତିରେ ବି ପଖାଳ ହେଉଛି ଆମ ଜଗନ୍ନାଥ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ। କାରଣ ଏହା ଆମ ଠାକୁରଙ୍କ ଛପନ ଭୋଗ ମଧ୍ୟରେ ମଧ୍ୟ ରହିଛି। ଆଗେ ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଟଙ୍କ ତୋରାଣି ମିଳୁ ଥିଲା ହେଲେ ଏଇ କେହି ବର୍ଷ ହେବ କୌଣସି କାରଣରୁ ତାହା ମିଳିବା ବନ୍ଦ
ହୋଇଯାଇଛି, ଯାହା ମହାପ୍ରସାଦକୁ ପଖାଳିଲା ପରେ ତା'ର ତୋରାଣିରେ ପ୍ରସ୍ତୁତ ହୋଇଥାଏ। ମାର୍ଗଶିର ଗୁରୁବାର ଓଷା ସମୟରେ ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ମଧ୍ୟ ପଖାଳ ଓ କଳମ ଶାଗ ଭୋଗ ଲଗା ଯାଏ। ମହାଭାରତ ମହାକାବ୍ୟରୁ ଦ୍ଵାପର ଯୁଗରେ ମଧ୍ୟ ଏହି ପଖାଳର ଖାଇବାର ନିଦର୍ଶନ ମିଳିଥାଏ। ଯେବେ ଶ୍ରୀକୃଷ୍ଣ ପାଣ୍ଡବଙ୍କ ପକ୍ଷରୁ କୌରବଙ୍କ ପାଖକୁ ଶାନ୍ତି ଦୂତ ଭାବେ ପାଞ୍ଚ ଖଣ୍ଡ ଗାଁ ମାଗିବାକୁ ଯାଇଥିଲେ ଓ ବିଦୁରଙ୍କ ଘରେ ଅତିଥି ଭାବେ ରହିଥିଲେ, ସେତେବେଳେ ବିଦୁର ଭଗବାନ ଶ୍ରୀକୃଷ୍ଣଙ୍କୁ ପଖାଳ ଭାତ ଓ ଶାଗ ଭଜା ଦେଇ ସନ୍ତୁଷ୍ଟ କରିଥିଲେ। ଓଡ଼ିଆ ବାହାଘରରେ ପଖାଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କାରଣ କନ୍ୟା ବିଦା ପୂର୍ବରୁ ବରକୁ ଦହି ପଖାଳ ଆଦି ଖାଇବାକୁ ଦିଆଯାଇଥାଏ।
ଆପଣଙ୍କ ରୋଷେଇ ଘରର କେଉଁ ଉପାଦାନ ଅଛି କିମ୍ବା ଆପଣଙ୍କ ରାନ୍ଧିବା କୌଶଳ ଜାଣିଛନ୍ତି ନା ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ପଖାଳ ପ୍ରସ୍ତୁତ କରିବା ସହଜ ଅଟେ। ଯଦିଓ ସମୟ ସହ ପଖାଳର ପ୍ରସ୍ତୁତି ପ୍ରଣାଳୀରେ ଅନେକ ପରିବର୍ତ୍ତନ କରାଯାଇ ବିଭିନ୍ନ ପ୍ରକାରର ପଖାଳ ପ୍ରସ୍ତୁତ କରାଗଲାଣି, କିନ୍ତୁ ସେସବୁ ଠୁଁ 'ପାରମ୍ପରିକ ପଖାଳ' ପ୍ରସ୍ତୁତ କରିବା ସବୁଠାରୁ ସହଜ ଓ ସରଳ। ରନ୍ଧା ହୋଇଥିବା ଭାତରେ ପାଣି ପୁରାଇ କିଛି ସମୟ ଅପେକ୍ଷା କରନ୍ତୁ, ସେଥିରେ ସ୍ଵାଦନୁସାରେ ଲୁଣ ମିଶାନ୍ତୁ ଏବଂ ବର୍ତ୍ତମାନ ଆପଣଙ୍କର ପଖାଳ ପ୍ରସ୍ତୁତ ହୋଇଗଲା!
ଆମ ଓଡ଼ିଆ ଖାଇବା ଅନୁସାରେ, ପଖାଳ ଖାଇବା ପାଇଁ ଅଧିକ ଲାଗେଇଖିଆର ଆବଶ୍ୟକତା ନଥାଏ। ପଖାଳକୁ ଯେକୌଣସି ପ୍ରକାରର ଶୁଖିଲା ଏବଂ ଅଳ୍ପ ଝୋଳ ଥିବା ଖାଦ୍ୟ ସହିତ ଖିଆଯାଇପାରେ। ଅନେକ ନିରାମିଷ ଏବଂ ଆମିଷ ଖାଦ୍ୟ ରହିଛି ଯାହା ପଖାଳର ସ୍ୱାଦକୁ ଆହୁରି ବଢ଼ାଇ ଦେଇଥାଏ, ଯେପରିକି ସାଧାରଣତଃ କଞ୍ଚା ଲଙ୍କା, ଲୁଣ, ବଡ଼ି, ଲେମ୍ବୁ, ଆମ୍ବୁଲ, କାକୁଡ଼ି ଏବଂ କଟା ପିଆଜ ଠାରୁ ଆରମ୍ଭ କରି ବିଭିନ୍ନ ଭର୍ତା, ଆଳୁ ଚଟଣୀ, ଶାଗ ଭଜା, ଆମ୍ବ ଚଟଣୀ, କଖାରୁ ଫୁଲ ବରା, ବେଶର ଡିଆ ଗୋଟି କଲରା ଭଜା ଠାରୁ ଆରମ୍ଭ କରି ବିଭିନ୍ନ ଶୁକୁଆ ପର୍ଯ୍ୟନ୍ତ। ପାରମ୍ପରିକ ପଖାଳକୁ ଆହୁରି ଆନନ୍ଦଦାୟକ ମୋଡ଼ ଦିଆଯାଏ ଯେତେବେଳେ ନୂଆ ନୂଆ ସ୍ୱାଦ ଯୋଡାଯାଏ ତା' ସହ - ଜିରା ପଖାଳ, ଦହି ପଖାଳ, ଲେମ୍ବୁ ପଖାଳ, ବାସି ପଖାଳ, ସଜ ପଖାଳ, ଫୁଟା ପଖାଳ, ଘିଅ ପଖାଳ ଇତ୍ୟାଦି। ସାଧାରଣତଃ ଭାତ ହେଉ ଅବା ଅନ୍ୟ କିଛି ଖାଇବା ପରେ ପାଣି ପିଇବା ଉଚିତ। ହେଲେ ପଖାଳ ଖାଇସାରିବା ପରେ ପାଣି ନପିଇ, ତୋରାଣି ପିଆଯାଏ ଯାହା ବୈଜ୍ଞାନିକ ମତାନୁସାରେ ଏକ ଚମତ୍କାର କୁଲାଣ୍ଟ ଏବଂ ଆମ ସିଷ୍ଟମକୁ ମଧ୍ୟ ହାଇଡ୍ରେଟ୍ କରେ।
୧୦୦ ଗ୍ରାମ ଭାତକୁ ପଖାଳିବାର ଅନ୍ତତଃ ୧୨ଘଣ୍ଟା ପରେ, ସେଥିରେ ବିଭିନ୍ନ ଖଣିଜ ପଦାର୍ଥର ଶତକଡ଼ା ବହୁତ ବଢ଼ି ଯାଇଥାଏ; ଯଥା: ଲୌହ ପରିମାଣ ୭୩.୯୧ ମିଲି. ଗ୍ରାମ, ପୋଟାସିୟମ ୮୩.୯ ମିଲି. ଗ୍ରାମ, କ୍ୟାଲସିୟମ ୮.୫୦ ମିଲି. ଗ୍ରାମ କୁ ବୃଦ୍ଧି ପାଇଥାଏ। ଭାତ ପଚନ ହେଲେ ସେଥିରେ ଡି- ଲାକ୍ଟିକ ଅମ୍ଳ ସୃଷ୍ଟି ହୋଇଥାଏ, ଯାହା ଶରୀରର ଜୀର୍ଣ୍ଣ କ୍ଷମତା ବଢ଼ାଏ। ଏହିପରି ବିଭିନ୍ନ ପ୍ରକାରର ରୋଗକୁ ପଖାଳ ଦୂର ମଧ୍ୟ କରିଥାଏ। ସାଧାରଣ ଭାବେ କହିଲେ, ଏହା ପେଟକୁ ଥଣ୍ଡା ରଖିବା ସହ ଦେହକୁ ଯଥେଷ୍ଟ ଜଳୀୟଅଂଶ ଯୋଗାଇଥାଏ।
ପଖାଳ ସହ ଓଡ଼ିଆ ଲୋକଙ୍କ ଭାବନା ବହୁ ମାତ୍ରାରେ ଜଡ଼ିତ। କେଉଁଠି ଗରିବ ଲୋକଟିଏ କାକୁଡ଼ି ଲଙ୍କା ଲଗାଇ ଖାଏ ତ ଆଉ କେଉଁଠି ଧନୀ ମାନେ ଦାମୀ ରେଷ୍ଟୁରାଣ୍ଟରେ ମଗାଇ ଖାଏ। ପଖାଳ କେବଳ ପାରମ୍ପରିକ ଭାତ ହୋଇକି ଆମ ଦୈନନ୍ଦିନ ଜୀବନର ସାଧାରଣ ଖାଇବା ହୋଇକି ଆଉ ରହି ନାହିଁ। ଏହା ବର୍ତ୍ତମାନ ବିଭିନ୍ନ ରେଷ୍ଟୁରାଣ୍ଟ୍ ଓ ପଞ୍ଚତାରକା ହୋଟେଲ ମାନଙ୍କର ମେନୁରେ ମଧ୍ୟ ସ୍ଥାନ ପାଇଲାଣି। ବିଶିଷ୍ଟ ସେଫ୍ ସଞ୍ଜୀବ କପୁରଙ୍କଠୁ ଆରମ୍ଭ କରି ରଣବିର୍ ବ୍ରାର୍ ଙ୍କାବ ପର୍ଯ୍ୟନ୍ତ, ଏ ସମସ୍ତେ ମଧ୍ୟ ନିଜର ରୋଷେଇ ପ୍ରତିଭା ଦ୍ୱାରା ଆମର ଏହି ପଖାଳ ସହ ନା ନା ଭେରାଇଟି ଦେଖାଇ ସାରିଛନ୍ତି। ଆଉ ଖାସ କରି ଏହି ପଖାଳ ଦିବସ ଅବସରରେ ବିଭିନ୍ନ ହୋଟେଲ ମାନଙ୍କ ଦ୍ୱାରା ନାନାଦି ପ୍ରକାରର ଅଫର ସବୁବି ଦିଆଯାଉଛି।

0 Comments