ଦୋର୍ଭ୍ୟାଂ ଶୋଭିତ ଲଙ୍ଗଳଂ ସମୂଷଳଂ କାଦମ୍ବରି ଚଞ୍ଚଳଂ,
ରତ୍ନାଢ଼୍ୟଂ ବରକୁଣ୍ଡଳଂ ଭୁଜବଳୈଃ ରାକ୍ରାନ୍ତ ଭୂମଣ୍ଡଳଂ।
ବଜ୍ରାଭାମଳଂ ଚାରୁ ଗଣ୍ଡଯୁଗଳଂ ନାଗେନ୍ଦ୍ର ଚୂଡ଼ୋଜ୍ଜ୍ୱଳଂ,
ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀ କାମପାଳଂ ଭଜେ।
କୋଟି ଓଡ଼ିଆ ମଉଡ଼ମଣୀ ଜଗତର ନାଥ ଜଗନ୍ନାଥଙ୍କ ଆଳୟ ପୁରୀଧାମ ବିଷୟରେ କିଏ ବା ନଜାଣିଛି। ଏହା ଚାରିଧାମ ମଧ୍ୟରୁ ଗୋଟିଏ ହୋଇଥିବାରୁ ଓ କଳିଯୁଗରେ ସ୍ୱୟଂ ବିଶ୍ୱ ନିୟନ୍ତାଙ୍କ ଲୀଳା କ୍ଷେତ୍ର ହୋଇଥିବାରୁ ଏହା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଠିକ ସେହିପରି ବଡ଼ ଠାକୁର ଅରୂପରୂପବନ୍ତ ମହାତେଜମୟ କାମପାଳ ଶ୍ରୀ ବଳଦେବଜୀଉଙ୍କ ଲୀଳା କ୍ଷେତ୍ର ପାଇଁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ପ୍ରସିଦ୍ଧ।
ଯେପରି ଆମେ କିମ୍ବଦନ୍ତୀ ଅନୁସାରେ ଜାଣିଛେ କି ଜଗନ୍ନାଥଙ୍କ ପୂର୍ବ ହେଲେ ଆଦ୍ୟଜଗନ୍ନାଥ ନୀଳମାଧବ। ଠିକ ସେହିପରି ଆଜି ଏହି ଆଲେଖ୍ୟରେ ଜାଣିବା ତୁଳସୀ କ୍ଷେତ୍ରାଧିପତି ବୀର୍ଜ୍ୟ ସ୍ୱରୂପ ମହାବୀର୍ଜ୍ୟ ଶ୍ରୀ ବଳଦେବଙ୍କ ଆବିର୍ଭାବ ବିଷୟରେ। ପୌରାଣିକ ତଥ୍ୟାବଳୀ ତଥା ଜନଶ୍ରୁତି ଅନୁସାରେ,
ଦ୍ଵାପର ଯୁଗରେ ଯେବେ ଧର୍ମର ସ୍ଥାପନା ପାଇଁ କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା, ସେ ଯୁଦ୍ଧରେ ପୂର୍ଣ୍ଣପୁରୁଷ ଶ୍ରୀକୃଷ୍ଣ ପାଣ୍ଡବଙ୍କ ପକ୍ଷରେ ରହିଲେ। କିନ୍ତୁ ଜ୍ୟେଷ୍ଠ ଭ୍ରାତା ବଳରାମ କାହାରି ପକ୍ଷରେ ନରହି ତଥା ଏହି ମହାସମରରେ ଯୋଗ ନ ଦେଇ ଭାରତବର୍ଷରେ ଥିବା ବିଭିନ୍ନ ତୀର୍ଥ ଭ୍ରମଣରେ ବାହାରିଲେ ଓ ସେହି ତୀର୍ଥକ୍ଷେତ୍ର ମାନଙ୍କରେ ନିଜର ପୂର୍ବଜ ମାନଙ୍କୁ ପିଣ୍ଡ ଦାନ କରୁଥିଲେ। ବିଭିନ୍ନ ତୀର୍ଥ ପର୍ଯ୍ୟଟନ କରି ଶେଷରେ ଆସି ପହଞ୍ଚିଲେ କଳିଙ୍ଗର ଉଡ଼୍ଡିୟାନ କ୍ଷେତ୍ର ତଥା ନାଭିଗୟା ବା ବିରଜା କ୍ଷେତ୍ରରେ। ସେଠି ପିଣ୍ଡ ବାଢ଼ିସାରି ପରମ୍ପରା ଅନୁଯାୟୀ ବ୍ରାହ୍ମଣ ଭୋଜନ କରାଉଥିଲେ। ଆଉ ଶେଷରେ ଦକ୍ଷିଣା ଦେବା ସମୟରେ ଜଣେ ବ୍ରାହ୍ମଣଙ୍କୁ କାନ୍ଦୁଥିବାର ଦେଖିଲେ। କାନ୍ଦିବାର କାରଣ ପଚାରିବାରୁ, ବ୍ରାହ୍ମଣ ଜଣକ କହିଲେ କି, କନ୍ଦରାସୁର ନାମକ ରାକ୍ଷସ କିପରି ତାଙ୍କ ଅଞ୍ଚଳରେ ଜନମାନସ ଉପରେ ଅତ୍ୟାଚାର ତଥା ଉତ୍ପାତ କରୁଛି। ଏଣୁ ଏ କଷ୍ଟରୁ ଉଦ୍ଧାର କରିବାପାଇଁ ସ୍ୱୟଂ ବଳିୟାରଭୂଜ ଆସି ପହଞ୍ଚିଲେ ଲଳିତଗିରି ଅଞ୍ଚଳରେ। ସେତେବେଳେ ଲଳିତଗିରି ଦୁର୍ଗର ଅଧୀଶ୍ୱର ଥିଲା କନ୍ଦରାସୁର। [ପ୍ରକାଶଥାଉ କି ସେହି ସ୍ଥାନରେ ବର୍ତ୍ତମାନ ମଧ୍ୟ ଲଳିତଗିରି ପାହାଡ଼ ପାଦଦେଶରେ ଗଦାଧାରୀ ଶେଷନାଗଙ୍କ ପ୍ରତିମା ଖୋଦିତ ହୋଇ ସେହି ସମୟରୁ ରହିଛି। ସ୍ଥାନୀୟ ଲୋକମାନେ ତାଙ୍କୁ "ଆଦ୍ୟବଳଦେବଜୀଉ" ତଥା "କାଳୁଆ ଠାକୁର"ଙ୍କ ରୂପରେ ପୂଜା କରୁଛନ୍ତି।] ପରେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଦିନ ଧରି ଯୁଦ୍ଧ ଲାଗି ରହିଥିଲା। ବଳଦେବଙ୍କ ସହିତ ଯୁଦ୍ଧରେ ନପାରିଥିବାରୁ ସେ ଡରିକରି ଢେଙ୍କାନାଳ କପିଳାସ ପାହାଡ଼ ଅଞ୍ଚଳକୁ ପଳାୟନ କରି କେତେଦିନ ଲୁଚିରହିଲେ। ହେଲେ ସ୍ବୟଂ କାଳ ଠାରୁ କେହି ପୁଣି ବଞ୍ଚିଲେଣି ନା ବଞ୍ଚିବେ? ଶେଷରେ ବଡ଼ ଠାକୁରଙ୍କ ହାତରେ ଧରା ସେ ପଡ଼ିଲା ଓ ତା'କୁ ଭଗବାନ ବଳରାମ ବଧକରି ତା'ର ବିଭିନ୍ନ ଅଙ୍ଗକୁ ଭିନ୍ନ ଭିନ୍ନ ଦିଗରେ ଫିଙ୍ଗି ଲୋକମାନଙ୍କୁ ଉଦ୍ଧାର କରିଲେ।
“କନ୍ଦରାସୁରକୁ ମାରି ଇଚ୍ଛାପୁରେ ରହି
ସପ୍ତଫଣୀ ଆଭରଣ ହୋଇଛ ଗୋସାଇଁ”
ଅସୁରର ଶିର ବା ମୁଣ୍ଡ ଯେଉଁଠାରେ ପଡ଼ିଲା, ସେହି ସ୍ଥାନ "ଅସୁରେଶ୍ୱର" ନାମରେ (ଅସୁର ଶିରରୁ) ଖ୍ୟାତ ହେଲା । ଏହାର ଗଣ୍ଡି ଯେଉଁ ସ୍ଥାନରେ ପଡ଼ିଲା, ତା'ର ନାମ ହେଲା "ବଳଗଣ୍ଡି"। ନାଭିଦେଶ ପଡ଼ିବା ସ୍ଥାନଟିର ନାମ "ନାଭିଖଣ୍ଡ" ବା "ନାହାଖଣ୍ଡ"। ଅସୁରର ଆଙ୍ଗୁଳିରୁ "ଅଙ୍ଗୁଳେଇ", ମଧ୍ୟଭାଗରୁ "ମଧ୍ୟଖଣ୍ଡି", କମରଖଣ୍ଡରୁ "କମରଖଣ୍ଡି", କପାଳରୁ "କପାଳେଶ୍ଵର," କଟିର କଟା ଅଙ୍ଗ ପଡ଼ିଥିବା ସ୍ଥାନରୁ "କଟିକଟା" ଓ ଖଣ୍ଡ ବିଖଣ୍ଡିତ ଅଙ୍ଗରୁ "ଖଡ଼ିଅଙ୍ଗ" ଆଦି ସ୍ଥାନଗୁଡ଼ିକ କେନ୍ଦ୍ରାପଡ଼ା ଓ ତା'ର ଆଖପାଖ ଅଞ୍ଚଳରେ ରହିଛି।
ଗର୍ଗ ସହିଂତା ଅନୁସାରେ, ମହାପ୍ରଭୁ ବଳରାମ ବା ବଳଭଦ୍ରଙ୍କର ଜଣେ ହିଁ ସ୍ତ୍ରୀ ଥିଲେ ଆଉ, ସେ ହେଲେ ସତ୍ୟଯୁଗୀୟ ରାଜା କୁଡୁମ୍ବିଙ୍କ କନ୍ୟା ରେବତୀ। ହେଲେ ବଳରାମ ଆସି ଯେବେ କନ୍ଦରାସୁରର ହତ୍ୟା କରିଲେ, ସେତେବେଳେ ଜାଣିବାକୁ ପାଇଲେ କି ଅସୁରର ଏକ କନ୍ୟା ଅଛି, ହେଲେ ସେ ଅସୁର ବଂଶରେ ଜନ୍ମିଥିଲେ ମଧ୍ୟ ତା'ର କୌଣସି ଆସୁରିକ ପ୍ରବୃତ୍ତି ନଥିଲା ବରଂ ସେ ଥିଲା ଧର୍ମପରାୟଣା, ସତୀ ତଥା ପରମବୈଷ୍ଣବୀ। ଯାହାର ନାମ ଥିଲା ତୁଳସୀ।
ପିତା କନ୍ଦରାସୁରର ମୃତ୍ୟୁପରେ, ଦେବୀ ତୁଳସୀ ବଳଭଦ୍ରଙ୍କୁ ଶେଷନାଗଙ୍କ ଅବତାର ଜାଣି ତାଙ୍କୁ ଉଦ୍ଧାର କରିବାକୁ କହି ତାଙ୍କ ନିକଟରେ ଶରଣାପନ୍ନ ହେଲେ। ପରେ ପ୍ରଭୁ ତୁଳସୀର ବରଣମାଳା ଗ୍ରହଣ କରି, ଏହି କ୍ଷେତ୍ରକୁ "ତୁଳସୀ କ୍ଷେତ୍ର" ଓ ଶ୍ବଶୁର କନ୍ଦରାସୁରର ନାମାନୁସାରେ ସେ ସ୍ଥାନର ନାମ ରଖିଲେ "କେନ୍ଦ୍ରାପଡ଼ା"। ଯଦିଓ ବିଭିନ୍ନ ଅନ୍ୟାନ୍ୟ କାରଣ ବି ରହିଛି କେନ୍ଦ୍ରାପଡ଼ାର ନାମକରଣ ପଛରେ, ହେଲେ ଏହା କିମ୍ବଦନ୍ତୀ ସହ ଯୋଡ଼ି ହୋଇ ରହିଛି। ଯେଉଁ ସ୍ଥାନରୁ ଦିଅଁଙ୍କ ମଣିବିଗ୍ରହ ମିଳିଥିଲା ତାହା ହେଉଛି ତୁଳସୀପୁର। ଏହି ପୌରାଣିକ ଆଖ୍ୟାନ ଅନୁସାରେ କେନ୍ଦ୍ରାପଡ଼ାକୁ ତୁଳସୀପୁର ବା ତୁଳସୀକ୍ଷେତ୍ର ବୋଲି କୁହାଯାଏ ।
ଆଲେଖ୍ୟରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରୀ ବଳଦେବଜୀଉଙ୍କ ଆବିର୍ଭାବ, କନ୍ଦରାସୁରରୁ କେନ୍ଦ୍ରାପଡ଼ା ଓ ସେଠୁଁ ତୁଳସୀ କ୍ଷେତ୍ର ପର୍ଯ୍ୟନ୍ତ ଯାତ୍ରାକୁ ସଂକ୍ଷେପରେ ପୌରାଣିକ ଆକ୍ଷାନ ଅନୁସାରେ ଉପସ୍ଥାପନା କରିବା।
ବୃନ୍ଦାୟା କ୍ଷେତ୍ରମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ,
ନାନାଳଙ୍କାର ଭୂଷଂ ଶଶଧର ସଦୃଶଂ ବାସୁଦେବାଗ୍ରଜାତମ୍।
ଭଦ୍ରାୟାଃ ଦକ୍ଷଭାଗେ ଫଣିବର ଶୀରସଂ ଦେବ ଦେବେନ୍ଦ୍ର ପୂଜ୍ୟମ୍,
ବନ୍ଦେ ରୁଦ୍ରାଦି ଚଣ୍ଡିଗଣ ସୁପରିବୃତଂ ରାମମାଣିକ୍ୟ ମୂର୍ତ୍ତିମ୍।।
0 Comments